ଅନୁଗୋଳ: ଇତିହାସ ରଚିଛି ଅନୁଗୋଳ ଜିଲ୍ଲାର ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ । ଦୀର୍ଘ ୩୦ ବର୍ଷ ପରେ ପୁଣି ଥରେ ନୂଆ ପରିଚୟ ସୃଷ୍ଟି କରିଛି ସାତକୋଶିଆ ।
ମହାନଦୀର ପ୍ରକୃତିର ଆବସ ସ୍ଥଳରେ ଜନ୍ମ ନେଇଛନ୍ତି ଘଡ଼ିଆଳ କୁମ୍ଭୀର । ମହାନଦୀ ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସ ସ୍ଥଳୀରେ ପୁଣି ଥରେ ବିରଳ ଘଡ଼ିଆଳ କୁମ୍ଭୀର ଜନ୍ମ ନେଇଛନ୍ତି । ଏନେଇ ବିଭାଗ ପକ୍ଷରୁ ଫଟୋ ଓ ଭିଡିଓ ଜାରି କରାଯାଇଛି।
ସୂଚନା ଅନୁସାରେ ସାତକୋଶିଆର ଟିକରପଡା ବନ୍ୟପ୍ରାଣୀ ବନାଞ୍ଚଳ ମହାନଦୀର ବଳଦମରା ପାଖରେ ଶନିବାର ଏକ ମାଆ ଘଡ଼ିଆଳ ସହ କିଛି ନବଜାତକ ଘଡ଼ିଆଳ ଶାବକଙ୍କୁ ବନବିଭାଗ ଠାବ କରିଥିଲା ।
ଯେଉଁଥିରେ ପ୍ରାୟ ୨୮ ଟି ଘଡ଼ିଆଳ ଛୁଆ ଥିବା ଜଣା ପଡିଛି । ଏହି ସବୁ ସାବକ ସାତକୋଶିଆ ଗଣ୍ଡର ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରଜନନ ହୋଇଥିବା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଦୀପରାଜ କରାଟେ ସୂଚନା ଦେଇଛନ୍ତି ।
ତାଙ୍କ କହିବା କଥା ସାତକୋଶିଆ ପାଇଁ ଏହା ନିଶ୍ଚିତ ପକ୍ଷେ ଏକ ଏକ ଶୁଭ ସଙ୍କେତ । ବହୁ ପୂର୍ବରୁ ପ୍ରାକୃତିକ ଭାବେ କେବଳ ସାତକୋଶିଆରେ ଘଡ଼ିଆଳଙ୍କ ପ୍ରଜନନ ହୋଇ ପାରୁଥିଲା । ପରିବେଶ ଅସନ୍ତୁଳନ ଯୋଗୁଁ ଏଥିରେ ବ୍ୟତିକ୍ରମ ଦେଖା ଯାଇଥିଲା ।
ହେଲେ ପୁଣି ଥରେ ସାତକୋଶିଆ ତାର ପୂର୍ବ ପରିଚୟ ଫେରି ଆସିଛି । ବର୍ତ୍ତମାନ ଏହି ଘଡିଆଳ ଶାବକ ମାନଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ଏବେ ସ୍ବତନ୍ତ୍ର ଦେଖା ଶୁଣା କରାଯିବ ବୋଲି କରାଟେ କହିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ