ଅନୁଗୋଳ: ଜିଲ୍ଲାରେ ଡରାଉଛି କୋରୋନା । ଗତ କିଛି ଦିନ ହେଲା ଲୋକାଲ କେଶ ବହୁ ସଂଖ୍ୟାରେ ଚିହ୍ନଟ ହେଉଥିବାରୁ ଚିନ୍ତାରେ ପଡିଯାଇଛି ପ୍ରଶାସନ। ଜିଲ୍ଲାବାସୀ ମଧ୍ୟ ଭୟଭୀତ ହୋଇ ପଡିଛନ୍ତି। ତେବେ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଅନୁଗୁଳ ସହରକୁ ଚାରିପଟେ ବ୍ୟାରିକେଡ କରାଯାଇଛି । ଏହାଦ୍ବାରା ଅଯଥା ଭିଡ଼ ନିୟନ୍ତ୍ରଣ ହେବା ସହ ସଂକ୍ରମଣ କମିବ ବୋଲି ଆଶା ରଖିଛି ପ୍ରଶାସନ।
ଜିଲ୍ଲାରେ ଦିନକୁ ଦିନ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା। ଶୁକ୍ରବାର ସୁଦ୍ଧା ଜିଲାରେ ମୋଟ ୨୪୭ଜଣ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଜିଲ୍ଲାରେ କୋରୋନାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ସବୁଠାରୁ ଚିନ୍ତାର ବିଷୟ ଗତ କିଛି ଦିନ ହେଲା ଲୋକଲ କେଶ ବହୁ ସଂଖ୍ୟାରେ ଦେଖିବାକୁ ମିଳୁଛି । କେବଳ ଅନୁଗୁଳ ପୌରାଞ୍ଚଳରେ ୨୦ରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ସହରକୁ ଗ୍ରାମଞ୍ଚଳରୁ ଅଧିକ ଲୋକ ଆସୁଥିବାରୁ ଏହା ବଢିବାର ଆଶଙ୍କା କରାଯାଉଛି । ତେଣୁ ଆଜିଠାରୁ ସହର ଚାରିପାଖରେ ବାଉଁଶ ବ୍ୟାରିକେଟ ନିର୍ମାଣ କରାଯାଇଛି । କୌଣସି ୪ଚକିଆ ଯାନ ସହର ଭିତରକୁ ପ୍ରବେଶ କରି ପାରୁ ନାହିଁ । ଫଳରେ ଭିଡ଼ କମିଛି । ଏହାଛଡା ଦୈନିକ ପରିବା ବଜାରରେ ଭିଡକୁ ଦେଖି ଷ୍ଟାଡିୟମ ପଡିଆକୁ ସ୍ଥାନାନ୍ତର କରାଯାଇଛି । ଏହା ଦ୍ବାରା ଭିଡ଼ କମିବା ସହ ସଂକ୍ରମଣକୁ ରୋକାଯାଇପାରିବ ବୋଲି ଆଶା ରଖିଛି ପ୍ରଶାସନ ।
ସଂକ୍ରମଣକୁ ରୋକିବାକୁ ପ୍ରଶାସନ ଦୈନିକ ଲକଡାଉନ କରିଛି । ସାପ୍ତାହିକ ୨ଦିନିଆ ସଟଡାଉନ କରିଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ କଟକଣା ଜାରି କରିଛି । କିନ୍ତୁ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଦେଖିବାକୁ ମିଳୁନି । ବହୁ ଲୋକ ମାର୍କେଟ ଭିତରେ ଭିଡ଼ ଜମାଉଛନ୍ତି । ମାସ୍କ ପିନ୍ଧୁ ନାହାନ୍ତି । ସାମାଜିକ ଦୂରତା ଆଦୌ ରକ୍ଷା କରୁ ନାହାନ୍ତି । ସେଭଳି ଅମାନିଆଙ୍କୁ ସାବାଡ଼ କରିବାକୁ ନା ପୋଲିସ ରହୁଛି ନା କୌଣସି ପ୍ରଶାସନିକ ଅଧିକାରୀ ରହୁଛନ୍ତି । କେବଳ ନିର୍ଦେଶନାମା ଜାରି କରି ପ୍ରଶାସନ ଦାୟିତ୍ବ ସାରି ଦେଉଛି । ଫଳରେ ଅନୁଗୁଳରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଆଗାମୀ ଦିନରେ ଏହା ଗୋଷ୍ଠି ସଂକ୍ରମଣ ଆଡକୁ ଗତି କରୁଥିବା ଜଣାପଡୁଛି ।
ଗତ ୧୯ ତାରିଖରେ ଅବକାରୀ ବିଭାଗର ୨ବରିଷ୍ଠ ଅଧିକାରୀ ଏବଂ ଏକ ମଦ ଦୋକାନର ୩ଜଣ କର୍ମଚାରୀ କୋରୋନା ସଂକ୍ରମିତ ହେବାପରେ ସେମାନେ ସହରର ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣା ପଡ଼ିଛି । ତେଣୁ ସେହି ସଂକ୍ରମିତ ମାନେ ସୁପର ସ୍ପ୍ରେଡର ହେବା ଆଶଙ୍କାରେ ସହରରେ ଏଭଳି ପଦକ୍ଷେପ ପରୀକ୍ଷା ମୂଳକ ଭାବେ ନିଆ ଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ