ଅନୁଗୋଳ: କୋରୋନା ଭୟରେ ଆତଙ୍କିତ ସାରା ବିଶ୍ବ । ଚୀନକୁ ଗ୍ରାସିଛି କୋରୋନା ଭୟ । ଏପଟେ ଅନୁଗୋଳ ଜିଲା ତାଳଚେରରେ ନିର୍ମାଣାଧୀନ ସାର କାରଖାନା ଉପରେ କୋରୋନାର କୌଣସି ପ୍ରଭାବ ନାହିଁ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ତାଳଚେରରେ ପ୍ରାୟ 18ହଜାର କୋଟି ଟଙ୍କା ବ୍ୟୟରେ ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟ ଚାଲୁଛି । ଏହାର ସମ୍ପୂର୍ଣ୍ଣ ନିର୍ମାଣ ଦାୟିତ୍ବ ଚାଇନାର ଉହାନ ଇଞ୍ଜିନିୟରିଂ ନାମକ ଏକ ସଂସ୍ଥାକୁ ଦିଆଯାଇଛି । ଆସନ୍ତା 2023 ସୁଦ୍ଧା କାରଖାନାର ନିର୍ମାଣ କାର୍ଯ୍ୟ ଶେଷ କରି ଉତ୍ପାଦନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖା ଯାଇଛି । କିଛି ମାସ ପୂର୍ବରୁ ଉହାନ ସଂସ୍ଥାର କର୍ତ୍ତୃପକ୍ଷ ଏଠାକୁ ଆସି ମୃତ୍ତିକା ପରୀକ୍ଷଣ କରିବା ସହ ଅନ୍ୟାନ୍ୟ ସ୍ଥିତି ପରଖିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ମୃତ୍ତିକା ପରୀକ୍ଷଣ, ଜମି ସମତୁଲ, ବେସିକ ଡିଜାଇନ ଆଦି କାମ ଚାଲିଛି ।
ଆସନ୍ତା ଜୁଲାଇ ମାସ ସୁଦ୍ଧା ଏହି ସବୁ କାମ ସରିବା ପରେ ଯାଇ ମୁଖ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସେତେବେଳେ ଉହାନ ସଂସ୍ଥାର କର୍ମଚାରୀ ଏଠାକୁ ଆସିବାର ଯୋଜନା ରହିଛି । ଉହାନ ସଂସ୍ଥାର ପ୍ରାୟ 700 କର୍ମଚାରୀ ଏଠାକୁ ଆସିବାର ଥିବାରୁ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ନିର୍ମାଣ କାମକୁ ତ୍ବରାନ୍ବିତ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ଉହାନ କମ୍ପାନୀର ଅଧିକାରୀଙ୍କ ସହ ଇ-ମେଲ ଯୋଗେ ଯୋଗାଯୋଗ କରାଯାଇଛି । କମ୍ପାନୀର ବିଶେଷଜ୍ଞଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କାମର ତଦାରଖ କରୁଛନ୍ତି ଉହାନ କର୍ତ୍ତୃପକ୍ଷ ।
ତେବେ ଏହା ଏକ ଅନ୍ତର୍ଜାତୀୟ ସମସ୍ୟା ହୋଇଥିବାରୁ ଉହାନକୁ କୌଣସି ପ୍ରକାର ତାଗିଦ କରାଯାଇ ପାରିବ ନାହିଁ । ଭାରତ ସରକାର ସେହି ସଂସ୍ଥାକୁ ଯେବେ ଅନୁମତି ଦେବେ ସେବେ ହିଁ ଏଠାକୁ ଆସିବେ । କିନ୍ତୁ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ ହେବ ବୋଲି ଆଶା ରଖାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ