ଅନୁଗୋଳ: ଜିଲ୍ଲାରେ ଆରମ୍ଭ ହୋଇଛି ଧାନ କିଣା ପ୍ରକ୍ରିୟା । ପ୍ରଥମ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଛେଣ୍ଡିପଦା ବ୍ଲକର ଦୁର୍ଗାପୁର କୃଷି ସମବାୟ ସମିତି ଠାରେ ଧାନକିଣା ମଣ୍ଡି ଉଦଘାଟନ କରିଥିଲେ ।
ସୂଚନାଯୋଗ୍ୟ ଯେ, ଜିଲ୍ଲାପାଳଙ୍କ ଅଧକ୍ଷତାରେ ହୋଇଥିବା ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟିରେ ସ୍ଥିର କରାଯାଇଥିଲା ଯେ, ଖରିଫ ବିପଣନ ୨୦୨୨-୨୩ବର୍ଷରେ ହେବାକୁ ଥିବା ଧାନ କ୍ରୟ ଡିସେମ୍ବର ୨୦ ତାରିଖରେ ଆରମ୍ଭ ହେବ । ତଦଅନୁଯାୟୀ ମଙ୍ଗଳବାର ସକାଳ ୧୦ଟା ସମୟରେ ଛେଣ୍ଡିପଦା ପଞ୍ଚାୟତ ସମିତି ଅନ୍ତର୍ଗତ ଦୁର୍ଗାପୁର ପ୍ରାଥମିକ କୃଷି ସମବାୟ ସମିତିରେ ସମସ୍ତ ଜିଲା ସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଜିଲାପାଳ ମଣ୍ଡି ଉଦଘାଟନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ଅନୁଗୋଳ ଉପଜିଲ୍ଲାପାଳ ବୈତୁରା ଦୀପ, ଛେଣ୍ଡିପଦା ତହସିଲଦାର ଡାନିଏଲ ଏକା ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଏହା ମଧ୍ୟ ପଢନ୍ତୁ: କଡା ସୁରକ୍ଷା ଭିତରେ କିପରି ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ ? ମୁଣ୍ଡ ଟେକିଲା ଅନେକ ପ୍ରଶ୍ନ
ଏହି ସମୟରେ ଚାଷୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସୁଚାରୁ ରୂପେ କିପରି ଚାଷୀମାନେ ଆସି ନିଜର ଧାନ ବିକ୍ରି କରିପାରିବେ ଏନେଇ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଚାଷୀ ମାନଙ୍କୁ ଏଫଏକ୍ୟୁ ମାନର ଧାନ ଆଣିବାକୁ ଉପଦେଶ ଦିଆଯାଇଥିଲା । ପ୍ରଥମ ଦିବସରେ ଟୋକନ ପାଇ ମଣ୍ଡିକୁ ଧାନ ଆଣିଥିବା ୧୦ଜଣ ଚାଷୀଙ୍କ ୬୬୧ ବସ୍ତା ଧାନ ଆଣିଥିଲେ । ଏହି ମଣ୍ଡି ସହ ସଂଯୋଜିତ ହୋଇଥିବା ମାଆ ଭୈରବୀ ରାଇସ ମିଲକୁ ଧାନ ପ୍ରଦାନ କରାଯାଇଥିଲା । ଜିଲ୍ଲାରେ ଚଳିତ ବର୍ଷ ୪୪ ହଜାର ୧୯ଜଣ ଚାଷୀ ଧାନ ବିକ୍ରୀ କରିବା ପାଇଁ ପଞ୍ଜିକରଣ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଜିଲାରୁ ୮ ଲକ୍ଷ୍ୟ ୯୪ ହଜାର କ୍ବିଣ୍ଟାଲ ଧାନ କିଣିବା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ୯୫ଟି ସମବାୟ ସମିତି ସହ ୫ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣିବାର ବ୍ୟବସ୍ଥା କରାଯାଇଛି ।
ଇଟିଭି ଭାରତ, ଅନୁଗୋଳ