ଅନୁଗୋଳ: ପାଇଖାନା ପାଇଁ ଭାଇକୁ ହାଣି ହତ୍ୟା କରିଛି ଭାଇ । ଘଟଣାଟି ହେଉଛି ଛେଣ୍ଡିପଦା ଥାନା ବାଲିପଟା ଗାଁର । ଗାଁର ତରୁଣ ନାଏକ ଓ ଅଭୟ ଓରଫ ଅଭିମନ୍ୟୁ ନାଏକଙ୍କ ପରିବାର ମଧ୍ୟରେ ଜମିବାଡି ବିବାଦ ଲାଗି ରହିଥିଲା । ତେବେ ପାଇଖାନା ତିଆରି ଓ ଜମିବାଡି ବିବାଦକୁ ନେଇ ମାଡପିଟ ହେବା ସହ ଟାଙ୍ଗିଆରେ ହାଣି ଭାଇକୁ ହତ୍ୟା କରିଛି ଭାଇ ।
ସୂଚନା ଅନୁଯାୟୀ ମଙ୍ଗଳବାର ଏହି ପାରିବାରିକ କଳହ ଉଗ୍ର ରୂପ ନେଇ ବାଲିପଟା ଗାଁ ରାସ୍ତା ଉପରେ ଟାଙ୍ଗିଆ ଓ ତରୁଆଲ ନେଇ ଉଭୟଙ୍କ ପରିବାର ମଧ୍ୟରେ ମାଡପିଟ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ତରୁଣ ନାଏକଙ୍କ ପୁଅ ତପନ ନାଏକ ଓ ସିଦ୍ଧାନ୍ତ ନାଏକ ଏକ ଟାଙ୍ଗିଆରେ ଅଭୟ ନାଏକଙ୍କ ବେକକୁ ହାଣି ଦେଇଥିଲେ ।
ଖବର ପାଇ ପରିବାର ଲୋକେ ଅଭୟଙ୍କୁ ତୁରନ୍ତ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ । ସେଠାରେ ଡାକ୍ତର ଅଭୟଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଘଟଣାରେ ହେମନ୍ତଙ୍କ ମୁଣ୍ଡ ଓ ପିଠିରେ ଗଭୀର ଆଘାତ ଲାଗି ଛେଣ୍ଡିପଦା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଏନେଇ ମୃତ ଅଭୟ ନାଏକଙ୍କ ଭାଇ ସିପୁ ନାଏକ ଛେଣ୍ଡିପଦା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଛେଣ୍ଡିପଦା ଥାନାରେ କେସ ନଂ129/19 ଦଫା 302,304,307,34 ଆଇପିସିରେ ମାମଲା ରୁଜୁ କରିବା ସହିତ ଛେଣ୍ଡିପଦା ଡାକ୍ତରଖାନାରେ ମୃତଦେହକୁ ଜବତ କରିଛି । ଏଥିସହ ତପନ ଓ ସିଦ୍ଧାନ୍ତକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ