ଅନୁଗୋଳ: ୩୦ ଫୁଟ କେନାଲ ଭିତରକୁ ଖସିଲା ଗାଡ଼ି (କ୍ୟାମ୍ପର)। ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ୟୁ । ରାତି ତମାମ ଉଦ୍ଧାର କାର୍ଯ୍ୟରେ ଲାଗିଲେ ପୋଲିସ ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକେ । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ତାଳଚେର ସମଲ ବ୍ୟାରେଜ୍ ଦକ୍ଷିଣ ଶାଖା କେନାଲ ରୋଡର ଗୁରୁଜାଙ୍ଗ- ଜନ୍ଦାବାହାଳ ବଙ୍ଗାରୁ ଜୁର ନିକଟରେ । କେନାଲ ତଳକୁ ଖସି ପଡ଼ିଲା ବୋଲେରୋ କ୍ୟାମ୍ପର । ଘଟଣାସ୍ଥଳରେ ହିଁ କ୍ୟାମ୍ପର ଚାଳକଙ୍କ ମୃତ୍ୟୁ ଘଟିଥିବା ସୂଚନା ମଳିଛି । ମୃତ ଜଣକ ହେଲେ ଖମାର ବନ୍ଧକାନି ଅଞ୍ଚଳର ଦେବେନ୍ଦ୍ର ପ୍ରଧାନ ।
ସୂଚନା ଅନୁସାରେ, ଦେବେନ୍ଦ୍ର ଗତକାଲି ବିଳମ୍ବିତ ରାତିରେ ଖମାର ଅଞ୍ଚଳରୁ ତାଳଚେର ଆଡ଼କୁ ଆସୁଥିବା ବେଳେ ଭାରସ୍ୟମ ହରାଇ କେନାଲ ତଳକୁ ପସିଯିବା ପରେ ପାଖରେ ଯାଇଥିବା ବଙ୍ଗାରୁ ଜୋରରେ କ୍ୟାମ୍ପରଟି ଓଲଟି ପଡିଥିଲା । ତେବେ ଘଟଣାସ୍ଥଳରେ ହିଁ କ୍ୟାମ୍ପର ଚାଳକ ଦେବେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକ ଉକ୍ତ ରାସ୍ତାରେ ଯାତାୟତ ବେଳେ କ୍ୟାମ୍ପରଟି ପାଣି ଭିତରେ ଓଲଟି ପଡିଥିବା ଦେଥିବାକୁ ପାଇଥିଲେ । ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଓ ପୋଲିସକୁ ଜଣାଇଥିଲେ ।
ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ପାଣି ଭିତରେ ପଡିଥିବା କ୍ୟାମ୍ପର ଚାଳକଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ତାଳଚେର ପୋଲିସ ପହଞ୍ଚି ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ଏକ କ୍ରେନ ମାଧ୍ୟମରେ ଗାଡ଼ିକୁ କେନାଲ ଭିତରୁ ଉଦ୍ଧାର କରାଯାଇଥିଲା । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।ରାତି ତମାମ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣା ସ୍ଥଳରେ ରହି ଏହି ଉଦ୍ଧାର କାର୍ଯ୍ୟ କରିଥିଲେ ।ବହୁ କଷ୍ଟରେ ୩୦ ଫୁଟ ଗଭୀରରୁ ଗାଡି ଓ ମୃତଦେହକୁ ଉଦ୍ଧାର କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ ....ଦୁର୍ଘଟଣାଗ୍ରସ୍ତ ହେଲା ପିକଅପ ଭ୍ୟାନ; ଗାଡିରୁ କୁକୁଡା ବୋହିନେଲେ ଲୋକେ
ତେବେ ଦ୍ରୁତ ଗତି କିମ୍ବା ମଦ ପିଇ ଗାଡି ଚଳାଇବା ଯୋଗୁ ଏହି ଦୁର୍ଘଟଣା ଘଟିଥାଏ ପାରେ ବୋଲି ଅନୁମାନ କରାଯାଉଛି । ସେପଟେ ଘଟଣା ପରେ ମୃତକଙ୍କ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । କେଉଁ ପରିସ୍ଥିରେ ଏଭଲି ଦୁର୍ଘଟଣା ଘଟିଛି ଏବଂ ବୋଲେରୋ ଗାଡ଼ିଟି କାହାର ସେନେଇ ଅଧିକ ତଦନ୍ତ କରୁଛି ପୋଲିସ । ତେବେ ଏହି ଅଞ୍ଚଳରେ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଅନୁଗୋଳ