ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟର ମହାନଦୀ ସାତକୋଶିଆ ଗଣ୍ଡରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡର ପତାକା ଠାରୁ ଆଠଗଡ ବନଖଣ୍ଡର ଚକ୍ରଗଡ ପର୍ଯ୍ୟନ୍ତ ଦୀର୍ଘ ୪୦ କିଲୋମିଟର ବ୍ୟାପୀ ମହାନଦୀ ଓ ନଦୀ ଅବବାହିକାରେ ରହୁଥିବା ବିଦେଶାଗତ ପକ୍ଷୀ ଗଣନା ଆରମ୍ଭ ହୋଇଛି ।
ଅଭିଜ୍ଞ ବନ କର୍ମଚାରୀଙ୍କ ସହ ନିଜେ DFO ଓ ଅନ୍ୟ ଅଧିକାରୀମାନେ ଏହି ଗଣନା କରୁଛନ୍ତି । ଦେଶୀ ଡଙ୍ଗା ଓ ବୋଟ ସାହାଯ୍ୟରେ ଗଣନା କାର୍ଯ୍ୟ କରାଯାଉଛି । ଟିକରପଡାରୁ ବିନିକେଇ, ବିନିକେଇରୁ ପତାକା, ଟିକରପଡାରୁ କଟରଙ୍ଗ, କଟରଙ୍ଗରୁ ବାଲିପୁଟ, ବାଲିପୁଟରୁ ଚକ୍ରଗଡ଼, ସେହିପରି ଆଠମଲ୍ଲିକର ହରଭଙ୍ଗାରୁ ଅଏଡ, ଲୁଣା ହାଣ୍ଡି, ବେଲପୁଞ୍ଜି ମଠ, ଶିଶୁପଥର ଡ୍ୟାମ ଅଞ୍ଚଳରେ ବିଭିନ୍ନ ଜଳାଶୟରେ ଏହି ଗଣନା କରାଯାଉଛି ।
ଏଥିପାଇଁ ମୋବାଇଲ ଟ୍ରାକିଙ୍ଗ, ଜି.ପି.ଏସ, ବାଇନା କୁଲର ଓ ସ୍ୱତନ୍ତ୍ର କ୍ୟାମେରାର ବ୍ୟବସ୍ଥା କରାଯାଇଛି । ଗଣନା ସମୟରେ ସବୁ ବର୍ଷପରି ଏଥର ମଧ୍ୟ ଇଣ୍ଡିଆନ ଷ୍ଟିମର, କରମରାଣ୍ଟ ସମେତ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ ଦେଖିବାକୁ ମିଳିଛି । ତେବେ ଗଣନା ସମୟରେ ନଦୀ ମଧ୍ୟକୁ ମତ୍ସ୍ୟଜୀବୀ ଯିବାକୁ ବାରଣ କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ