ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟରୁ ବେଧଡକ ଚାଲିଛି ଗଛକଟା । ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରୁ କାଠ ମାଫିଆମାନେ ବେଧଡକ ମୂଲ୍ୟବାନ ଗଛ କାଟି ନେଉଥିବା ବେଳେ ବନ ବିଭାଗର ଆଖି ଆଢୁଆଳରୁ ଏଭଳି ଘଟଣା ଘଟିବା ବନ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ତେବେ ଏହି ଅଭୟାରଣ୍ୟରେ ଆନ୍ତଃ ରାଜ୍ୟ ବ୍ୟାଘ୍ର ପ୍ରକଳ୍ପ ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ଜଙ୍ଗଲ ଆଇନ ଓ କଟକଣାକୁ ଆହୁରି ବଢ଼ାଇ ଦିଆଯାଇଛି । ହେଲେ ଏହି କଟକଣା ଓ ଆଇନ ସମସ୍ତଙ୍କ ପାଇଁ ରହିଥିବା ବେଳେ ନିକଟରେ ଖୋଦ ବନ ବିଭାଗ ଘାସ ପଡିଆ କରିବା ନାଁରେ ଏକର ଏକର ଜଙ୍ଗଲରୁ ବଡ ବଡ ଗଛ ସବୁ କାଟି ପଦା କରିଥିଲା । ଯାହା କି ସଂମ୍ପୂର୍ଣ୍ଣ ବେଆଇନ ।
ଏହି ଘଟଣାକୁ ଦିନ କେଇଟା ବିତିନଥିବା ବେଳେ ଅଭୟାରଣ୍ୟର ଟିକରପଡା ରେଞ୍ଜ ମଝିପଡା ଜଙ୍ଗଲରୁ ବହୁ ମୂଲ୍ୟବାନ ଗଛକୁ କାଠ ମାଫିଆ କାଟି ନେଇଛନ୍ତି । ତେବେ ବନବିଭାଗ ନାକ ତଳୁ ଏତେ ଗଛ କାଟି ଚୋରି କରି ନେବାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ବୁଦ୍ଧିଜୀବୀ ଓ ପରିବେଶ ପ୍ରେମୀ ।
ତେବେ ଯେଉଁ ଆଇନ ଓ କଟକଣାକୁ କାର୍ଯ୍ୟକାରୀ କରିବାକୁ ଯାଇ ବନ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି । ସେଠାରେ ଖୋଦ ବନ ବିଭାଗ ଆଇନ ଭଙ୍ଗ କରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପଟେ ବନ ବିଭାଗର କହିବା ଅନୁଯାୟୀ ସମ୍ପୂର୍ଣ୍ଣ ଜଙ୍ଗଲ ମଧ୍ୟରେ ୨୪ ଘଣ୍ଟିଆ ପଇଁତରା ଦିଆଯାଉଛି । କିନ୍ତୁ ଏସବୁ ସ୍ଥଳେ କିଭଳି ବଡ ବଡ ମୂଲ୍ୟବାନ ଗଛ ସବୁ ମାଫିଆ ମାନେ କାଟି ନେଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।
ତେବେ ଏନେଇ ଆମ ଇଟିଭି ଭାରତ ପ୍ରତିନିଧି ସାତକୋଶିଆ ସହକାରୀ ବନ ସଂରକ୍ଷକଙ୍କୁ ପଚାରିବାରୁ ସେ ଏସମ୍ପର୍କରେ ଅବଗତ ଥିବା କହିଥିବା ବେଳେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଖୁବଶୀଘ୍ର ମାଫିଆଙ୍କୁ କାବୁ କରାଯିବ ବୋଲି ସେ କହିଛନ୍ତି ।
ଯଦି ବନ ବିଭାଗ ଆଖି ଆଢୁଆଳରେ ଅଭୟାରଣ୍ୟ ମଧ୍ୟରୁ କାଠ ମାଫିଆ ବେଧଡକ କାଠ କାଟି ନେଉଛନ୍ତି ତେବେ ଏଠାରେ ବନ୍ୟଜନ୍ତୁ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନ ଉଠିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ