ଅନୁଗୋଳ: ପୌରପାଳିକାର ନିର୍ବାହୀ ଅଧିକାରୀ ଲୋକଙ୍କ ଉପରେ ଜୁଲୁମ କରୁଥିବା ଅଭିଯୋଗ ଆଣିଛି ନଗର କଂଗ୍ରେସ । ଗତ ଦୁଇଦିନ ପୂର୍ବେ ଅନୁଗୋଳ ସହର ହୁଲୁରୁସିଂହା ଛକରେ କଂଗ୍ରେସ ନେତା ତଥା ସାମ୍ବାଦିକ ସଂଜୀବ କୁମାର ମାଣ୍ଡୋଠିଆଙ୍କ ଘରକୁ ଯାଇ ନିର୍ବାହୀ ଅଧିକାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହି ଜୁଲମକୁ ଦୃଢ ନିନ୍ଦା କରିଛି ଅନୁଗୋଳ ନଗର କଂଗ୍ରେସ । ଏହାକୁ ନେଇ ନଗର କଂଗ୍ରେସ ସଭାପତି ଆଜି(ଗୁରୁବାର) ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
ଜିଲ୍ଲା ପ୍ରଶାସନର ଶାସନ ବ୍ୟବସ୍ଥାକୁ ବ୍ରିଟିଶ ରାଜ ସହ ତୁଳନା କରିବା ସହ ବ୍ରିଟିଶରାଜ ବିରୁଦ୍ଧରେ ନଗର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବା ନେଇ ଧମକ ଦିଆଯାଇଛି । ଯେଉଁଭଳି ଭାଵରେ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସାଧାରଣ ଲୋକଙ୍କ ଉପରେ ଆକ୍ରୋଶ ରଖି କାର୍ଯ୍ୟ କରୁଛନ୍ତି । ସେଥିପାଇଁ ସେ ଆସନ୍ତା 7 ଦିନ ମଧ୍ୟରେ ନଗରବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଚେତାବନୀ ଦେଇଛି । ନଚେତ ସେ ଅଧିକାରୀଙ୍କୁ ସହରର ଯେକୌଣସି ସ୍ଥାନରେ କାଳିମାଡ଼ କରାଯିବ ବୋଲି ଧମକ ଦେଇଛି ନଗର କଂଗ୍ରେସ ।
ଏହାସହ ବିଗତ ଦିନରେ ଯେଉଁଭଳି ଭାବେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହୋଇଛି ତାର ନିନ୍ଦା କରିଛି ଦଳ । ପ୍ରଶାସନ ତାର ଜୁଲମ ବନ୍ଦ କରୁ ନଚେତ କଂଗ୍ରେସ ଦଳ ତାହାର ଉଚିତ ଜବାବ ଦେବ ବୋଲି କହିଛନ୍ତି ନଗର କଂଗ୍ରେସ ସଭାପତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ