ଅନୁଗୋଳ: କୋରୋନା ମହମାରୀର ତୃତୀୟ ଲହର ଆଶଙ୍କା କରି ଅନୁଗୋଳ ଓକିଲ ସଂଘ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଅବସରରେ ଓକିଲ ସଂଘ ସଭାପତି ଦିଲୀପ କୁମାର ସାହୁଙ୍କ ନେତୃତ୍ବରେ ବହୁ ବରିଷ୍ଠ ଓକିଲ ଦୁର୍ଗମ ଓ ଅପହଞ୍ଚ ଇଲାକା ଗୁଡିକରେ ଥିବା ଗାଁ ଗୁଡିକୁ ଯାଇ ଲୋକଙ୍କୁ କୋରୋନା ମହମାରୀରୁ କିଭଳି ରକ୍ଷା ପାଇବେ ସେ ନେଇ ସଚେତନ କରାଉଛନ୍ତି ।
ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଏକାଠି ବସି ତାସ ନଖେଳିବା ଏବଂ ବିନା କାରଣରେ ଗାଁରୁ ବାହାରକୁ ନବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ସଙ୍ଘ ପକ୍ଷରୁ ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ଘଞ୍ଚ ଜଙ୍ଗଲ ଅଧ୍ୟୁଷିତ ଟୁଲୁକା ଗାଁକୁ ଲୋକଙ୍କୁ ସଚେତନ କରାଇବା ସହ ସମସ୍ତଙ୍କୁ ମାସ୍କ, ସାନିଟାଇଜର, ବ୍ରେଡ଼, ବିସ୍କୁଟ ଆଦି ବଣ୍ଟନ କରିଥିଲେ ।
ଆଗାମୀ ଦିନମାନଙ୍କରେ ଏଭଳି ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସମୟରେ ଲୋକଙ୍କୁ ସଚେତନ କରାଇବା ଏବଂ ସହାୟତା କରିବା ନିହାତି ଆବଶ୍ୟକ । ତେଣୁ ଓକିଲ ସଂଘର ଏଭଳି କାର୍ଯ୍ୟକୁ ସବୁ ଆଡୁ ପ୍ରଶଂସା ମିଳୁଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ