ଅନୁଗୋଳ: ସଫଳ ହୋଇଛି ଅପରେସନ ଗଜରାଜ । ଶେଷରେ କାବୁରେ ଆସିଛି ଅମାନିଆ ଦନ୍ତା । ଚାରି ଦିନର ଅପରେସନ ପରେ ଟ୍ରାଙ୍କୁଲାଇଜ ହେଲା ନରହନ୍ତା ଦନ୍ତା ।
ଅନୁଗୋଳ ଜିଲା ତାଳଚେର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ହାତୀକୁ ଶେଷରେ ଟ୍ରାଙ୍କୁଲାଇଜ କରି ଧରିଛି ବନ ବିଭାଗ । ଗତ ଚାରି ଦିନ ହେଲା ବନ ବିଭାଗର ଏକ ସ୍ବତନ୍ତ୍ର ଟିମ ଡିଏଫଓଙ୍କ ନେତୃତ୍ବରେ ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା ଚଳାଇଥିଲା । ଗତ ତିନୋଟି ଡୋଜ ପରେ ମଧ୍ୟ ହାତୀ କାବୁରେ ଆସି ନଥିବାବେଳେ ଆସି ଶେଷରେ ବିଭାଗ କାବୁରେ ଆସିଛି । ହାତୀ ଦେହରେ ନିଶ୍ଚେତକ ବାଜିବା ପରେ ତାର ଚିକିତ୍ସା କରାଯାଇ ତାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଛି । ଟ୍ରକ ଯୋଗେ ହାତୀକୁ ଢେଙ୍କାନାଳ କପିଳାସ ଚିଡିଆଖାନା ନେଇଛି ।
ଟ୍ରାଙ୍କୁଲାଇଜ ଏକ୍ସପର୍ଟ କମଳ ଲୋଚନ ପୁରୋହିତ,ସରୋଜ ପଣ୍ଡା, ଅନୁଗୋଳ ବନଖଣ୍ଡ ଅଧିକାରୀ କାର୍ତ୍ତିକ.ଭି,ଏ.ସି.ଫ ବାସୁଦେବ ନାୟକ,ତାଳଚେର ଓ ଛେଣ୍ଡିପଦା ରେଞ୍ଜରଙ୍କ ସହ ବନବିଭାଗର ପ୍ରାୟ ୪୦ ଜଣ କର୍ମଚାରୀ ଅପରେସନରେ ସାମିଲ ଥିଲେ ।
ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ