ଅନୁଗୋଳ: କୋରୋନା ସତର୍କତା ନେଇ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ସମସ୍ତ ଉତ୍ସବକୁ ବନ୍ଦ କରାଯିବା ସହ ଦୋଳ ମେଲଣ ସ୍ଥାନରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାଶନ ।
ଏଥିସହିତ କୋରୋନା ପାଇଁ ଭୟଭୀତ ନ ହୋଇ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ଅନୁଗୋଳ ଜିଲ୍ଲାପାଳ । ସେହିପରି ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ କଡ଼ା ନଜର ରଖିବା ସହ ଶିଳ୍ପ ସଂସ୍ଥାରେ କାମ କରୁଥିବା ରାଜ୍ୟ ତଥା ରାଜ୍ୟ ବାହାରର ନାଗରିକଙ୍କ ଉପରେ ନଜର ରଖିବାକୁ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ଜିଲ୍ଲାକୁ ବାହାରୁ ଆସୁଥିବା ଲୋକଙ୍କର ଡାକ୍ତରୀ ପରୀକ୍ଷା ପାଇଁ ଏକ ଟିମ୍ ସର୍ବଦା ପ୍ରସ୍ତୁତ ହୋଇ ରହିଛି ବୋଲି ପ୍ରଶାସନ ସୂଚନା ଦେଇଛି । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଥିବା ୧୧ଟି ସିନେମା ହଲ୍ ଓ ଜିମ୍ ସେଣ୍ଟର ଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଟ୍ୟୁଟୋରିଆଲ୍, ସୁଇମିଂପୁଲ ଗୁଡ଼ିକ ମଧ୍ୟ ବନ୍ଦ କରାଯିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ