ଅନୁଗୋଳ: ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଗୁଡିକର ଘରୋଇକରଣ ପ୍ରତିବାଦରେ ଆଜିଠାରୁ(ଗୁରୁବାର) ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହୋଇଛି । ଅନୁଗୋଳ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଜି ଜିଲ୍ଲାର ପ୍ରାୟ ୮୦ରୁ ଅଧିକ ବିଭିନ୍ନ ବ୍ୟାଙ୍କ ଶାଖା ଗୁଡିକ ବନ୍ଦ ରହିଛି । କର୍ମଚାରୀମାନେ ବ୍ୟାଙ୍କ ଆଗରେ ବସି ଧର୍ମଘଟ କରୁଛନ୍ତି । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।
ବ୍ୟାଙ୍କ କର୍ମଚାରୀଙ୍କ କହିବା କଥା ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଗୁଡିକ ସମସ୍ତ ସରକାରୀ ଯୋଜନାରେ ଗରିବ, ଚାଷୀ ଓ ଛୋଟ ବ୍ୟବସାୟୀଙ୍କୁ ଋଣ ଦେଇ ଆସୁଛନ୍ତି । ଏହାଦ୍ୱାରା ସେମାନେ ଲାଭବାନ ହୋଇପାରୁଛନ୍ତି । କିନ୍ତୁ ଘରୋଇକରଣ ହେଲେ ବ୍ୟାଙ୍କ ଗୁଡିକ ସରକାରଙ୍କ ହାତରୁ ଯାଇ ବିତ୍ତଶାଳୀଙ୍କ ହାତରେ ରହିବ । ଫଳରେ ସାଧାରଣ ଲୋକେ ବିଶେଷ ସୁବିଧା ପାଇପାରିବେ ନାହିଁ ।
ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ଏହି ବ୍ୟାଙ୍କ ଧର୍ମଘଟ କରାଯାଇଥିବା କୁହାଯାଇଛି । ସରକାରୀ ନିଷ୍ପତ୍ତି ବିରୁଦ୍ଧରେ ଲଢେଇ ଆରମ୍ଭ ହୋଇଛି ଓ ଚାଲୁ ରହିବ ବୋଲି ବ୍ୟାଙ୍କ ସଂଘ ପକ୍ଷରୁ କୁହାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ