ଅନୁଗୋଳ: ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ କିଛିଦିନ ହେଲା ଦୈନିକ ୩୦ ରୁ ୪୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହାକି ଜନସାଧାରଣ ସମେତ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି ।
ଗତ ୩ଦିନ ମଧ୍ୟରେ ଅନୁଗୋଳରେ କୋରୋନା ସଂକ୍ରମଣ ରେକର୍ଡ ଭାଙ୍ଗି ୧୦୦ ଟପିଯାଇଛି । ଗତ ୭ ତାରିଖରେ ୧୯ ଜଣ, ୮ ରେ ୩୩ ଜଣ ଓ ୯ରେ ୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଟେଷ୍ଟିଂ ବୃଦ୍ଧି କରାଯାଇଛି । ସଂକ୍ରମଣକୁ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ କଡାକଡ଼ି କରାଯିବା ସହ ଅମାନିଆଙ୍କୁ ସାବାଡ଼ କରାଯାଇ ଫାଇନ ଆଦାୟ କରାଯାଉଛି । ସେହିପରି ପ୍ରଶାସନ ତରଫରୁ ପ୍ରତ୍ୟେକ ଦିନ ଏକ ସ୍ୱତନ୍ତ୍ର ଟିମ ଦୋକାନରେ ବୁଲି ବୁଲି ଚଢ଼ାଉ କରୁଛି । ବଜାର, ହାଟ ଓ ଅନ୍ୟାନ୍ୟ ଜନଗହଳି ସ୍ଥାନରେ ବାଧ୍ୟତାମୂଳକ ଭାବେ କୋଭିଡ଼ ପରୀକ୍ଷା କରାଯାଉଛି ।
ତେବେ ସବୁ ଉପଖଣ୍ଡର ଉପଜିଲ୍ଲାପାଳ ଏବଂ ବିଡ଼ିଓଙ୍କ ତତ୍ୱବାଧାନରେ ଯାଞ୍ଚ ପ୍ରକ୍ରିୟା କଡାକଡି କରାଯିବା ସହ ଜିଲ୍ଲାରେ ଥିବା ସମସ୍ତ କାରଖାନା ଓ ଖଣିଗୁଡିକରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀଙ୍କ ରିପୋର୍ଟ ସଂଗ୍ରହ କରାଯାଉଛି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପ୍ରଶାସନ ବ୍ୟାପକ ପ୍ରୟାସ କରୁଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ