ଅନୁଗୋଳ: ଆସିଲାଣି ଖରାଦିନ । ତାପମାତ୍ରା ୪୪ ଡିଗ୍ରୀ ପାର ହେଲାଣି । ବିଭିନ୍ନ ସ୍ଥାନରେ ଶୁଖିଲାଣି କୂଅ ଓ ପୋଖରୀ । ପାନୀୟ ଜଳର ଦେଖାଦେଇଛି ଘୋର ଅଭାବ । ଅନେକ ସ୍ଥାନରେ ନଳକୂଅରୁ ବାହାରୁନି ପାଣି । ଫଳରେ ଲୋକେ ଚୁଆ ଖୋଳି ପିଇବା ପାଣି ଆଣୁଥିବା ଦେଖିବାକୁ ମିଳୁଛି ।
ଅନୁଗୋଳ କଣିହାଁ ବ୍ଲକ କୁଳୁମା ପଞ୍ଚାୟତର ଲଖନପୁର ଗାଁରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ଗାଁକୁ ସବୁଦିନିଆ ରାସ୍ତାଟିଏ ନାହିଁ । କୌଣସି ମୌଳିକ ସୁବିଧା ଏଠାରେ ନାହିଁ କହିଲେ ଚଳେ । ହେଲେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଲୋକଙ୍କ ପାଇଁ ପାନୀୟ ଜଳର ସୁବିଧା ଆଦୌ ନାହିଁ । ଏଠାରେ ପ୍ରାୟ ୪୦ଟି ଆଦିବାସୀ ପରିବାର ପାଣି ଟୋପାଏ ପାଇଁ ଦୁଇ କିଲୋମିଟିର ବାଟ ଚାଲି ଚାଲି ଯାଇ ଚୁଆରୁ ଆଣୁଛନ୍ତି ପାଣି । ଗାଁରେ ଗୋଟିଏ ହେଲେ ଖୋଲା କୂଅ କି ନଳକୂପ ନାହିଁ । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପାଇପ ଲଗାଯାଇଛି କିନ୍ତୁ ସେଠାରେ ପାଣି ଆସୁନି ।
ଲୋକେ ବର୍ଷ ତମାମ ପିଇବା ପାଣି ମୁନ୍ଦିଏ ପାଇଁ ଡହଳ ବିକଳ ହେଉଛନ୍ତି । ଗାଁ ଠାରୁ ଜଙ୍ଗଲ ପାହାଡ ଡେଇଁ ପ୍ରାୟ ଦୁଇ କିଲୋମିଟର ବାଟ ଚାଲି ଚାଲି ଯାଉଛନ୍ତି ପାଣି ଆଣିବାକୁ । ଜଙ୍ଗଲ ଭିତରେ ବହି ଯାଉଥିବା ଚୋରଧରା ନାଳ କୂଳରେ ଚୁଆ ଖୋଳି ପାଣି ଆଣୁଛନ୍ତି । ରାତି ପାହିଲେ ମହିଳାଙ୍କ ଚିନ୍ତା କେମିତି ଚୁଆରୁ ପାଣି ଆଣିବେ । ବର୍ଷ ବର୍ଷ ଧରି ସେମାନଙ୍କ ଦୁର୍ଦ୍ଦଶା ଲାଗି ରହିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ଦୁଃଖ । ସେମାନେ ଆଦିବାସୀ ହୋଇଥିବାରୁ ବିଶେଷ କରି ଜଙ୍ଗଲରୁ ଶାଳ ପତ୍ର, ମହୁଲ ଫୁଲ, ଝୁଣା, ମହୁ ଓ ଅନ୍ୟାନ୍ୟ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି । ବିଭିନ୍ନ ଅସୁବିଧା ପାଇଁ ଅଭିଯୋଗ କରିବାକୁ ସେମାନଙ୍କ ପାଖରେ ସମୟ ନଥାଏ ।
ଏହାଛଡା ଅତ୍ୟନ୍ତ ଗରିବୀ ଓ ଅଶିକ୍ଷିତ ହେତୁ ସମାଜ ଏବଂ ସରକାରଙ୍କ ନିୟମ ବିଷୟରେ ଅଜଣା । କାହାକୁ କେମିତି ଅଭିଯୋଗ କରିବେ ତାହା ଜାଣିନାହାନ୍ତି । ତେଣୁ କେବଳ କର୍ମକୁ ଆଦରି ବହୁ କଷ୍ଟରେ ରହୁଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି କୌଣସି ଗାଁରେ ପାନୀୟ ଜଳର ଅଭାବ ହେବାକୁ ଦିଆଯିବନାହିଁ । ଏଥିପାଇଁ ପ୍ରତି ପଞ୍ଚାୟତସ୍ତରରେ ସ୍ବତନ୍ତ୍ର ଟିମ କରାଯାଇଛି । ଏଭଳି ପରିସ୍ଥିତି ନଜରକୁ ଆସିଲେ ତୁରନ୍ତ ସମାଧାନ କରାଯିବ ।
ଜିଲ୍ଲାର ଅନେକ ଉପାନ୍ତ ଅଞ୍ଚଳରେ ଏବେବି ପାନୀୟ ଜଳର ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଏଥିପ୍ରତି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ନଜର ପଡିନାହିଁ । କେବଳ ସହର ତଳି ଅଞ୍ଚଳକୁ ଛାଡି ଦେଲେ ଜଙ୍ଗଲ ଓ ପାହାଡ ଘେରା ଅଞ୍ଚଳ ଦୃଷ୍ଟି ଆଢୁଆଳରେ ରହିଯାଉଛି । ଖରାଦିନ ପାଖେଇ ଆସୁଥିବାବେଳେ ସବୁବର୍ଷ ପରି ଚୁଆ ଓ ଝରଣା ପାଣି ଏମାନଙ୍କ ସାହା ପାଲଟିଛି । ହେଲେ ଏହି ପାଣିର ବିଶୁଦ୍ଧତା ନେଇ କୌଣସି ଗ୍ୟାରେଣ୍ଟି ନଥିବାବେଳେ ଏମାନଙ୍କ ସ୍ବାସ୍ଥ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ