ଅନୁଗୋଳ: ବର୍ଷ ବର୍ଷ ଧରି ଚାଲିଛି ଆନ୍ଦୋଳନ । ନିଜ ସୁରକ୍ଷା ଲାଗି ଲଢେଇ କରୁଛନ୍ତି ଲୋକେ । ଏପରିକି କୋର୍ଟର ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ପକ୍ଷରୁ ମଧ୍ୟ ମିଳିଛି ନୋଟିସ । ହେଲେ ସବୁ ନିୟମକୁ ନାଲକୋର ବେଖାତିର ।
ସାରା ଦେଶକୁ ପ୍ରଦୂଷଣର କଳା ବାଦଲ ଘାରି ରହିଛି । ହେଲେ ବେଧଡକ ଭାବେ ଜଳ ପ୍ରଦୂଷଣ କରିଚାଲିଛି ନାଲକୋ । ଆମେ କହୁଛୁ ଅନୁଗୋଳ କୁକୁଡାଙ୍ଗ ନିକଟରେ ଥିବା କମ୍ପାନୀର ଆସପଣ୍ଡ କାହାଣୀ । ଯେଉଁଠାରୁ ଅନବରତ ଛଡା ହେଉଛି ପାଉଁଶ ମିଶା ପାଣି । ଯାହାର ପ୍ରଭାବରେ ଦୂଷିତ ହେଉଛି ନନ୍ଦୀରା ନଦୀର ପାଣି । ନୋଟିସ ପରେ କିଛି ଦିନ ହୋଇଥିଲା ବନ୍ଦ। ହେଲେ ପୁଣିଥରେ ଆରମ୍ଭ ହୋଇଛି ନଦୀକୁ କଳୁଷିତ କରିବାର ପ୍ରକ୍ରିୟା ।
ବ୍ୟବହାର ଅନୁପଯୋଗୀ ହୋଇପଡିଛି ଚିରସ୍ରୋତା ନନ୍ଦୀରା ନଦୀ । ପାଣିର ରଙ୍ଗ ପାଲଟିଛି ଧଳା । ପ୍ରଭାବିତ ହେଉଛନ୍ତି ନଦୀ କୂଳିଆ ଗାଁ । ଲୋକଙ୍କୁ ମାଡି ବସିଛି ବିଭିନ୍ନ ପ୍ରକାର ଚର୍ମ ରୋଗ । ଚାଷ କାର୍ଯ୍ୟ ଲାଗି ଜଳ ଅନୁପଯୁକ୍ତ । ବର୍ଷ ସାରା ପ୍ରବାହିତ ହେଉଛି ପାଣି । କିନ୍ତୁ କୌଣସି କାମରେ ଲାଗି ପାରୁନି ଦୂଷିତ ଜଳ । ତେବେ ଆମ ପ୍ରତିନିଧିଙ୍କ ସୂଚନା ପରେ ତୁରନ୍ତ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଛନ୍ତି ପ୍ରଦୂଷଣ ବିଭାଗ ଅଧିକାରୀ ।
ନଦୀ ପ୍ରଦୂଷଣ ହେବାରୁ କମିବାରେ ଲାଗିଛି ଆକର୍ଷଣ । ଆସୁନାହାନ୍ତି ପର୍ଯ୍ୟଟକ । କୂଳରେ ଥିବା ମଠ, ମନ୍ଦିର ଓ ଦର୍ଶନୀୟ ସ୍ଥାନ ହରାଇଛି ଗୌରବ । ଦେଖିବାକୁ ବାକି ରହିଲା କେବେ ଫେରିବ ନନ୍ଦୀରା ନଦୀର ପୁରୁଣା ରୂପ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ