ଅନୁଗୋଳ: ଜିଲ୍ଲା ସରକାରୀ ଡାକ୍ତରଖାନାର ରକ୍ତଭଣ୍ଡାରରେ ଜଣେ ରକ୍ତଦାତା କୋରୋନା ପଜିଟିଭ ଜଣାପଡିବା ପରେ ସମସ୍ତଙ୍କ ଚିନ୍ତା ବଢି ଯାଇଛି । ଫଳରେ ରକ୍ତଭଣ୍ଡାରକୁ ଆସନ୍ତା 7 ଦିନ ପର୍ଯ୍ୟନ୍ତ ସିଲ କରାଯାଇଛି ।
ସୋମବାର ଏଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ପ୍ରାୟ 56 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସେହି ଶିବିରରେ ବଅଁରପାଳ ବ୍ଲକର ଜଣେ ବ୍ୟକ୍ତି ମଧ୍ୟ ରକ୍ତଦାନ କରିଥିଲେ । ତେବେ ଗତକାଲି ତାଙ୍କର ପଜିଟିଭ ରିପୋର୍ଟ ଆସିଛି ।
ସଂକ୍ରମିତ ବ୍ୟକ୍ତିଙ୍କ ପରିବାରର ଦୁଇ ଜଣ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁରା ପରିବାରକୁ ହୋମ କ୍ଵରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ସେହିବ୍ୟକ୍ତି ଜଣକ କିଛି ନ ମାନି ଏଠାକୁ ଆସି ରକ୍ତଦାନ କରିଥିଲେ ।
ଏହା ଜଣାପଡିବା ପରେ ରକ୍ତ ଭଣ୍ଡାରକୁ ଆସନ୍ତା 7ଦିନ ପର୍ଯ୍ୟନ୍ତ ସିଲ କରାଯାଇଛି । ବାହାରେ ଓ ଭିତରେ ସାନିଟାଇଜ କରାଯାଇଛି । ଏହାସହ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ