ଅନୁଗୋଳ: ସରକାର ଯୋଗାଇ ଥିବା ଚାଷୀଙ୍କ ସାରକୁ ଚଡ଼ା ଦରରେ ବିକ୍ରି କରୁଥିବା ନେଇ ସମବାୟ କର୍ତ୍ତୃପକ୍ଷଙ୍କ ନାଁରେ ଅଭିଯୋଗ ଆଣିଲେ ଚାଷୀ । ଧାର୍ଯ୍ୟ ଦର ଠାରୁ 200 ଟଙ୍କା ଅଧିକ ଦେଇ ସାର କଣୁଥିବା ଅଭିଯୋଗ କରିଥିଲେ ଚାଷୀ । ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବେଡାଶାସନ ଗାଁରେ । ତେବେ ଅଭିଯୋଗକୁ ଆଧାର କରି ତଦନ୍ତ କରିଛନ୍ତି ସହକାରୀ ନିବନ୍ଧକ ।
ସୂଚନା ଅନୁଯାୟୀ, ଜିଲ୍ଲାର ବେଡା ଶାସନ ସମବାୟ ସମିତିରେ ଚାଷୀଙ୍କୁ ସାର ଯୋଗାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ସରକାର ଆବଶ୍ୟକ ସାର ସଠିକ ମୂଲ୍ୟରେ ଯୋଗାଇ ଦେଇଥିଲେ ମଧ୍ୟ ସମିତିର ସମ୍ପାଦକ ଚାଷୀଙ୍କୁ ଆବଶ୍ୟକତା ଠାରୁ କମ ସାର ଦେଉଥିଲେ । ଏହାସହ ଧାର୍ଯ୍ୟ ଦର ଠାରୁ ଅଧିକ ମୂଲ୍ୟରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଫଳରେ ବହୁ ଗରିବ ଚାଷୀ ସେମାନଙ୍କର ଯେତିକି ଦରକାର ସେତିକି ସାର ପାଇ ପାରି ନଥିବା ଚାଷୀ କହିଥିଲେ ।
ଚାଷୀ ଅଭିଯୋଗ କରିଥିଲେ ଯେ, ସରକାର ଚାଷୀଙ୍କ ସୁବିଧା ପାଇଁ ସାରକୁ ପର୍ଯ୍ୟାପ୍ତ ପରିମାଣରେ ଏବଂ କମ୍ ମୂଲ୍ୟରେ ଯୋଗାଇ ଆସୁଛନ୍ତି । କିନ୍ତୁ କେତେକ ଯୋଗାଣ ଅଧିକାରୀ ଏହି ସାରକୁ ପର୍ଯ୍ୟାପ୍ତ ପରିମାଣରେ ଦେବା ତ ଦୂରର କଥା ଚଢା ଦର ଠାରୁ ଅଧିକ ମୂଲ୍ୟ ନେଉଛନ୍ତି । ବସ୍ତା ପ୍ରତି ଶହେରୁ ଦେଢ଼ ଶହ ଟଙ୍କା ନେଉଥିବା ବେଳେ ଏହାକୁ ନେଇ ବାରମ୍ବାର ଅଭିଯୋଗ କରିଆସିଥିଲୁ । କିନ୍ତୁ ପରବର୍ତ୍ତୀ ସମୟରେ ଚାଷୀ ସମବାୟ ନିବନ୍ଧକଙ୍କ ଠାରେ ଅଭିଯୋଗ କରିଥିଲୁ । ଅଭିଯୋଗ ପାଇ ସହକାରୀ ସମବାୟ ନିବନ୍ଧକ ଓ ଅନ୍ୟ କର୍ମଚାରୀମାନେ ଆସି ଏହାର ତଦନ୍ତ କରିଥିଲେ । ଏଭଳି ଦୁର୍ନୀତିଗ୍ରସ୍ତ ସମ୍ପାଦକଙ୍କୁ ଏଠାରୁ ଅନ୍ୟତ୍ର ବଦଳି ପାଇଁ ଚାଷୀମାନେ ଦାବି କରିଛନ୍ତି ।
ଅଧିକ ପଢନ୍ତୁ: ଅଦିନରେ ଫଳୁଛି ପେନ୍ଥା ପେନ୍ଥା ଟମାଟୋ, ବର୍ଷା ଦିନେ ବିଲାତି ଫଳାଇ ଚର୍ଚ୍ଚାରେ ଅନୁଗୋଳ ଚାଷୀ
ତଦନ୍ତ କରୁଥିବା ସହକାରୀ ନିବନ୍ଧକ ସଂଗ୍ରାମ କେଶରୀ ମଳିକ କହିଛନ୍ତି,‘‘ ତଦନ୍ତ ସମୟରେ ଜଣା ପଡିଛି ଯେ ସେହି ସମିତିରେ ୧୩୫୦ଜଣ ପଞ୍ଜିକୃତ ଚାଷୀ ଅଛନ୍ତି । ତେଣୁ ସେମାନଙ୍କ ପାଇଁ ପ୍ରାୟ ୫୬୦ବସ୍ତା ବିଭିନ୍ନ କିସମର ସାର ରିହାତି ମୂଲ୍ୟରେ ସରକାର ଯୋଗାଇ ଦେଇଥିଲେ । କିନ୍ତୁ ସମ୍ପାଦକ କୁଇଣ୍ଟାଲ ପ୍ରତି ୨୦୦ଟଙ୍କା ଲେଖାଏଁ ଚାଷୀଙ୍କ ଠାରୁ ଅଧିକ ନେଇଛନ୍ତି । ଅଭିଯୋଗ ଦେଇଥିବା ଚାଷୀଙ୍କ ତାଙ୍କ ଟଙ୍କା ଫେରସ୍ତ କରାଯାଇଛି । ବଳକା ଯେଉଁ ଚାଷୀ ରହିଛନ୍ତି ସମାନଙ୍କୁ ମଧ୍ୟ ତାଙ୍କ ଟଙ୍କା ଫେରସ୍ତ କରାଯିବ । ସମ୍ପୂର୍ଣ୍ଣ ତଦନ୍ତ ସରିବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।’’
ଇଟିଭି ଭାରତ, ଅନୁଗୋଳ