ଅନୁଗୋଳ: ଚାଲିଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ । ପ୍ରସ୍ତୁତ ନେତା ଏବଂ ଜନତା । ପ୍ରାର୍ଥୀ କରିବେ ଭାଗ୍ୟ ପରୀକ୍ଷା । ହେଲେ ଫଳାଫଳ ଲୋକଙ୍କ ହାତରେ । ଏ ଭିତରେ 'ଇଟିଭି ଭାରତ' ପକ୍ଷରୁ ଚାଲିଥିବା ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଢେଙ୍କାନାଳ ଲୋକସଭା ଆସନ ଲାଗି ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି । ଅଞ୍ଚଳର ସାମଗ୍ରୀକ ବିକାଶ ତାଙ୍କର ଲକ୍ଷ୍ୟ ବୋଲି ସେ ଜଣାଇଛନ୍ତି ।
ଦୁଇ ଦୁଇ ଥର ରାଜ୍ୟସଭାର ସଦସ୍ୟ ହୋଇସାରିଛନ୍ତି ରୁଦ୍ର ପାଣି । ହେଲେ ମେଣ୍ଟ ଭାଙ୍ଗିବା ପରେ ଗତ ଦୁଇଟି ନିର୍ବାଚନରେ ସେ ବିଜେଡିର ତଥାଗତ ଶତପଥୀଙ୍କ ଠାରୁ ହାରିଛନ୍ତି । କିନ୍ତୁ ତଥାଗତଙ୍କ ରାଜନୀତିରୁ ସନ୍ନ୍ୟାସ ଘୋଷଣା ପରେ ତାଙ୍କର ପଲ୍ଲା ବର୍ତ୍ତମାନ ଭାରି । ସବୁବେଳେ ନିଜର ଭଲ ବ୍ୟବହାର ଦ୍ବାରା ଲୋକଙ୍କୁ ଆକର୍ଷିତ କରିପାରୁଥିବା ରୁଦ୍ର ପାଣି ଚଳିତ ଥର ଜିତିବା ନେଇ ବେଶ ଆଶାବାଦୀ ଅଛନ୍ତି ।
ସେ ନିର୍ବାଚନରେ ବିଜୟୀ ହେଲେ ଅଞ୍ଚଳରେ ଜଳସେଚନର ସୁବିଧା କରିବା ଦିଗରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ଏହାସହ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଥିବା ଶିଳ୍ପାଞ୍ଚଳମାନଙ୍କରେ ବେକାରୀ ଯୁବକ ଯୁବତୀଙ୍କ ପାଇଁ ପ୍ରଥମେ ରୋଜଗାର ସୃଷ୍ଟି କରିବେ ବୋଲି କହିଛନ୍ତି ରୁଦ୍ର ।
ତାଙ୍କ କହିବା ମୁତାବକ ପ୍ରତି ଗାଁରେ ଅନେକ କାମ ବାକି ରହିଛି ଓ ସରକାରୀ ଯୋଜନା ପହଞ୍ଚି ପାରିନାହିଁ । ନରେନ୍ଦ୍ର ମୋଦିଙ୍କ ବିକାଶ ଧାରାରେ ପୁରା କ୍ଷେତ୍ର କିଭଳି ସାମିଲ ହେବ ଏବଂ ଲୋକେ କେନ୍ଦ୍ରୀୟ ଯୋଜନାର କିଭଳି ଲାଭ ପାଇବେ, ତାହା ଉପରେ ଗୁରୁତ୍ଵ ଦେବେ ବୋଲି କହିଛନ୍ତି ରୁଦ୍ର ପାଣି । ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ନିଜର ସ୍ଲୋଗାନ ରଖିଛନ୍ତି । ଏହି ବିଜେପି ସାଂସଦ ପ୍ରାର୍ଥୀ ନିଜ ହାତ ପାଣ୍ଠିର କିଭଳି ଉଚିତ ବିନିଯୋଗ ହେବେ ତା ଉପରେ ଅଧିକ ନଜର ଦେବେ ବୋଲି ମଧ୍ୟ କହିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ