ଅନୁଗୋଳ: ଗୁରୁବାର ପୁଣି ଅନୁଗୋଳର ତାଳଚେରରେ ଅର୍ଥନୈତିକ ଅବରୋଧ । ତାଳଚେର ଥର୍ମାଲ ପାୱାର ଷ୍ଟେସନ (ଟିଟିପିଏସ) ବନ୍ଦ ପ୍ରତିବାଦରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ ଅର୍ଥନୈତିକ ଅବରୋଧ କରାଯାଇଛି ।
କମିଟିର କାର୍ଯ୍ୟକର୍ତ୍ତା, ସଦସ୍ୟମାନେ ବିଭିନ୍ନ କୋଇଲା ଖଣିର ଜିଏମ ଓ ପ୍ରୋଜେକ୍ଟଓ ଅଫିସ ସମ୍ମୁଖରେ ପ୍ରତିବାଦ କରିଛନ୍ତି । କୋଇଲା ପରିବହନ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୋଇଲା ପରିବହନ ବନ୍ଦ କରିଛନ୍ତି l ତେବେ ପୂର୍ବରୁ ତାଳଚେର କ୍ରିୟାନୁଷ୍ଠାନ କମିଟି ତାଳଚେର ବନ୍ଦ ଡାକରା ଦେଇଥିଲା । ଗୁରୁବାର ସେଥିରେ ପରିବର୍ତ୍ତନ କରି ଅର୍ଥନୈତିକ ଅବରୋଧ କରିଛନ୍ତି । ତେବେ ଅର୍ଥନୈତିକ ଅବରୋଧ ଯୋଗୁଁ ତାଳଚେରରେ ଥିବା ବିଭିନ୍ନ କୋଇଲାଖଣିରୁ ଉତ୍ପାଦନ ଏବଂ ଟ୍ରକ ଓ ରେଳ ୱାଗନ ଯୋଗେ ବିଭିନ୍ନ ଶିଳ୍ପାନୁଷ୍ଠାନକୁ କୋଇଲା ପରିବହନ ବନ୍ଦ ରହିଛି l ଏଥିଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଇବେ ବୋଲି ଅନୁମାନ କରାଯାଉଛି l
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ