ଅନୁଗୋଳ: ଖଜୁରୀ ପତ୍ର ଘେରା ଖଣ୍ଡିଏ କୁଡିଆ, ଦୁଇ ହାତ ଓସାର, ଛାତ ଉପରେ ନଡ଼ା । ସୂର୍ଯ୍ୟ କିରଣ ବାହାରେ ପଡିବା ଆଗରୁ ଘରେ ପଡେ । ଚଟାଣ ଆବୁଡ଼ା ଖାବୁଡ଼ା । ଏମିତି ଏକ କୁଡ଼ିଆରେ ଖରା, ବର୍ଷା ଓ ଶୀତରେ 5ଟି ପିଲାଙ୍କ ସହ ଜୀବନ କାଟୁଛନ୍ତି କବିତା ନାୟକ । କାହାରି ଆଶ୍ରା ନାହିଁ ତାଙ୍କ ପାଖରେ । ସ୍ୱାମୀଙ୍କ ମୃତ୍ୟୁ ପରେ ସାରା ସଂସାରଟା ତାଙ୍କ ପାଇଁ ଯେପରି ଶୂନ୍ୟ ହୋଇ ପଡିଛି । ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଳକ କୁଶପଙ୍ଗି ଗାଁର କବିତା ନାଏକଙ୍କ ପରିବାରର ଏ ହେଉଛି ଦୁଃଖ ।
ଏହା ମଧ୍ୟ ପଢ଼ନ୍ତୁ: ନୂଆପଡାର ଅଭିଶପ୍ତ ଗାଁ, ଯେଉଁଠି ଜନ୍ମରୁ ଦୃଷ୍ଟିଶକ୍ତି ହରାଉଛନ୍ତି ପିଲା
4 ବର୍ଷ ପୂର୍ବେ କ୍ୟାନସର ରୋଗରେ ପୀଡିତ ହୋଇ କବିତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ସ୍ବାମୀଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଥିଲେ କବିତା । ପିଲାଙ୍କ ପାଇଁ ଦାନା ମୁଠାଏ ଯୋଗାଡ଼ କରିବେ ନା ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ କରିବେ । କିଛି ବୁଦ୍ଧିବାଟ ଦିଶିଲାନି ତାଙ୍କୁ। ମୁଲ ମଜୁରୀ କରି ଦାନା ମୁଠାଏତ ଯୋଗାଡ଼ କରି ଦେଲେ, କିନ୍ତୁ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରା ଟିକିଏ ଏପର୍ଯ୍ୟନ୍ତ ପାଇ ନାହାନ୍ତି କବିତା । ସ୍ବାମୀ ସର୍ବଶିକ୍ଷା ଅଭିଯାନରେ ଚାକିରୀ କରି ଯାହା ଦି ପଇସା ଆଣୁଥିଲେ ସେଥିରେ ଘର ଚଳୁଥିଲା । ଧାର କରଜ କରି ଘର ଖଣ୍ଡିଏ କରିବାକୁ ଯୋଜନା କରିଥିଲେ ।
ହେଲେ ତା ପୁର୍ବରୁ ତାଙ୍କ ଜୀବନ ଦୀପ ଲିଭିଗଲା । ବାପ ଜେଜେବାପ ଅମଳରୁ ଚାଖଣ୍ଡେ ଜାଗା ଅଛି । ତାଛଡ଼ା ଆଉ କିଛି ସମ୍ବଳ ନାହିଁ କବିତାଙ୍କ ପାଖରେ । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସବୁଆଡ଼େ ଗୁହାରି କଲେ । ହେଲେ କେହି ଶୁଣିଲେନି ତାଙ୍କ କଥା । ଶେଷରେ ବାଧ୍ୟ ହୋଇ ଖଜୁରୀ ଗଛର ପତ୍ର ଆଣି ସେହି ଜାଗାରେ କୁଡ଼ିଆ ଖଣ୍ଡେ କରି ରହି ଆସୁଛନ୍ତି କବିତା ଓ ତାଙ୍କ 5 କୁଟୁମ୍ବ ପରିବାର । କବିତାଙ୍କ ବାପଘର ଲୋକେ ଅନେକ ସମୟରେ ତାଙ୍କୁ ସାହାଯ୍ୟ କରି ଆସୁଛନ୍ତି । କିନ୍ତୁ ତାଙ୍କର ମଧ୍ୟ ବିଶେଷ କିଛି କିଛି ସମ୍ବଳ ନାହିଁ।
ସାହି ପଡ଼ିଶା ଓ ଗାଁ ଲୋକେ ସମସ୍ତେ କବିତାର ଦୁଖରେ ଦୁଖୀ । ସମସ୍ତେ ଚାହାଁନ୍ତି କବିତାଙ୍କୁ ସରକାରଙ୍କ ପକ୍ଷରୁ ଘରଟିଏ ମିଳୁ । 5 ପିଲାଙ୍କୁ ନେଇ କବିତା ଯେଉଁଭଳି ଭାବେ ବଞ୍ଚିଛନ୍ତି ତାହା ନଦେଖିଲେ ବିଶ୍ବାସ କରି ହୁଏ ନାହିଁ । କବିତାଙ୍କ ଦୁଃଖ ଦେଖି ସେ ଅଞ୍ଚଳର କିଛି ସମାଜସେବୀ ସହାୟତା ପାଇଁ ଆଗେଇ ଆସିଛନ୍ତି । ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ସରକାର ନିରାଶ୍ରୟ ମାନଙ୍କୁ ଆଶ୍ରୟ ଦେବାକୁ ଆବାସ ଯୋଜନା କରିଛନ୍ତି । କିନ୍ତୁ କବିତା ପରି ନିରାଶ୍ରୀ ମହିଳାଙ୍କ ଉପରେ କେବେ ସରକାର ଓ ପ୍ରଶାସନର ଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ