ଅନୁଗୋଳ: ଆନ୍ତଃରାଜ୍ୟ ଠକ ଦମ୍ପତିଙ୍କୁ ଗିରଫ କଲା ଅନୁଗୋଳ ପୋଲିସ । ବିଭିନ୍ନ କମ୍ପାନୀରେ ଚାକିରୀ କରାଇଦେବା ଆଳରେ ଅନେକ ଛାତ୍ରଛାତ୍ରୀଙ୍କଠାରୁ ଏହି ଦମ୍ପତି କୋଟିକୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଦେଶର ବିଭିନ୍ନ ଥାନାରେ ଏହି ଠକଙ୍କ ନାଁରେ ଅଭିଯୋଗ ରହିଛି । ପାଖାପାଖି 1300 ଜଣ ଚାକିରୀ ଆଶାୟୀଙ୍କ ଠାରୁ ଏହି ଦମ୍ପତି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କଲା ଅନୁଗୋଳ ପୋଲିସ ।
ଗିରଫ ଦମ୍ପତି ପଶ୍ଚିମବଙ୍ଗର ମୄଗାଁଓ ଗୁପ୍ତା ଏବଂ ତାଙ୍କ ପତ୍ନୀ ଚୈତାଳୀ ମୁଖାର୍ଜୀ । ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଦୁଇଟି ସ୍ୱତନ୍ତ୍ର ଟିମ ଗଠନ କରିଥିଲା । ଏହି ଟିମ୍ କୋଲକାତା ଯାଇ ଦମ୍ପତିଙ୍କୁ ଗିରଫ କରିଛି । ଏହି ଦମ୍ପତି ବିଭିନ୍ନ କମ୍ପାନୀର ନକଲି ଷ୍ଟାମ୍ପ, ନିଯୁକ୍ତି ପତ୍ର ଓ ଅନ୍ୟାନ୍ୟ କାଗଜ ପତ୍ର ରଖି ପିଲା ମାନଙ୍କୁ ଚାକିରୀ ଦେବାକୁ କହି ଟଙ୍କା ଆଦାୟ କରୁଥିଲେ । ଏପରିକି ପିଲାମାନଙ୍କୁ ନିଯୁକ୍ତି ସମ୍ପର୍କୀୟ ପରୀକ୍ଷା ମଧ୍ୟ କରାଉ ଥିଲେ । ପୋଲିସ ସୂଚନା ମୁତାବକ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଜାମ୍ମୁ କାଶ୍ମୀର, ପଶ୍ଚିମବଙ୍ଗ, ଓଡିଶା, ବିହାର ପର୍ଯ୍ୟନ୍ତ ୭ଟି ରାଜ୍ୟରେ ଏହି ଠକ ଦମ୍ପତି ନିଜର ସାମ୍ରାଜ୍ୟ ବଢ଼ାଇ ଥିଲେ।
ତେବେ ଅନୁଗୋଳ ଜିଲାର କୋଲିଆରୀ, ନାଲକୋ, ତାଳଚେର ଓ ଅନୁଗୋଳ ଥାନାରେ ସେମାନଙ୍କ ବିରୋଧରେ ମକଦମା ରୁଜୁ ହୋଇଥିଲା । ପୂର୍ବରୁ ଏଥିରେ ସମ୍ପୃକ୍ତ ୭ଜଣଙ୍କୁ ପୋଲିସ ଗିରଫ କରିଥିଲା। କିନ୍ତୁ ଏହି ଠକେଇର ମାଷ୍ଟର ମାଇଣ୍ଡ ବଙ୍ଗୀୟ ଦମ୍ପତିଙ୍କୁ ପୋଲିସ ଖୋଜୁଥିଲା। ସେମାନେ କେବଳ ଓଡ଼ିଶାର ୫୫୦ ଜଣ ପିଲାଙ୍କୁ ଚାକିରୀ ଦେବା ନାଁରେ ଠକେଇ କରିଛନ୍ତି। କେବଳ ୫୦ଜଣ ପିଲାଙ୍କ ଠାରୁ ୧କୋଟି ୮୫ଲକ୍ଷ ଟଙ୍କା ଠକି ନେଇଛନ୍ତି ଏହି ଠକ ଦମ୍ପତି । ଏନେଇ ଅନୁଗୋଳ ଏସପି ଜଗ ମୋହନ ମିନା ସୂଚନା ଦେଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ