ଅନୁଗୋଳ: ଅନୁଗୋଳରେ ବଢୁଛି ସଂକ୍ରମଣ । ଜିଲ୍ଲାରେ ଦିନକୁ ଦିନ କାୟା ମେଲାଉଛି କୋରୋନା । ଏଠାରେ ବୁଧବାର ଗୋଟିଏ ଦିନରେ 91 ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8 ହଜାର 603 ରେ ପହଞ୍ଚିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ଏକ ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ବାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ କଣିହାଁ ବ୍ଲକ ଅଞ୍ଚଳରୁ 24 ଜଣ, ଅନୁଗୋଳ ପୌରାଞ୍ଚଳରୁ 17 ଜଣ, ବଅଁରପାଳ ବ୍ଲକ ଅଞ୍ଚଳରୁ 16 ଜଣ, ତାଳଚେର ବ୍ଲକରୁ 14 ଜଣ, ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ 7 ଜଣ, ଅନୁଗୋଳ ବ୍ଲକରୁ 6 ଜଣ, ପାଳଲହଡା ବ୍ଲକରୁ 3 ଜଣ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ତାଳଚେର ପୌରାଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 57 ଜଣ ପୁରୁଷ ରହିଥିବା ବେଳେ 32 ଟି ମହିଳା ଅଛନ୍ତି । ତେବେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ବଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିର୍ଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଅନ୍ୟପଟେ ଜିଲ୍ଲାରୁ ବୁଧବାର ଦିନ 91 ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 8 ଜଣ କୋଭିଡ ହସ୍ପିଟାଲରୁ, 2 ଜଣ କୋଭିଡ କେୟାର ସେଣ୍ଟରରୁ ଓ 81 ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ