ଅନୁଗୋଳ: ୪୩ ବର୍ଷରେ ପହଞ୍ଚିଛି ନବରତ୍ନ କମ୍ପାନୀ ନାଲ୍କୋ । ଏହି ଅବସରରେ ୪୩ତମ ପ୍ରତିଷ୍ଠା ଦିବସ କାରଖାନା ପରିସରରେ ପାଳିତ ହୋଇ ଯାଇଛି । PSU (Public Sector Undertakings) ଭାବେ କେବେ କ୍ଷତି ସହି ନଥିବା ଏହି କମ୍ପାନୀ ଏବେ କଞ୍ଚାମାଲ ପାଇବାରେ ସକ୍ଷମ ହୋଇଛି । କୋଇଲା ହେଉ କି ବକ୍ସାଇଟ, ନିଜସ୍ବ ଖଣିକୁ ବ୍ୟବହାର କରିବା ପାଇଁ ଏବେ କମ୍ପାନୀ ସକ୍ଷମ ହୋଇଛି ।
ନାଲ୍କୋ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ନାଲ୍କୋର ସ୍ବାଧୀନ ନିର୍ଦ୍ଦେଶକ ଡଃ ସତ୍ୟରୁପା ଓ ସମ୍ମାନିତ ଅତିଥି ଭାବେ ନାଲ୍କୋର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନୟନ ରଞ୍ଜନ ମହାନ୍ତି ଯୋଗ ଦେଇଥିଲେ । ନାଲ୍କୋ ନିର୍ବାହୀ ନିର୍ଦ୍ଦେଶକ ଭୀମସେନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଅତିଥିମାନେ ନାଲ୍କୋର ସଫଳତା ଉପରେ ଉଦବୋଧନ ଦେଇଥିଲେ । ଦୀର୍ଘ ୪୩ ବର୍ଷ ଧରି ନାଲ୍କୋ ସଫଳତାର ସହ ଚାଲି ଆସିଛି । ସାରା ଦେଶରେ ସୁନାମ ଅର୍ଜନ କରିଛି । କାରଖାନାର ଉତ୍ପାଦନଠାରୁ ବ୍ୟବସାୟିକ କାର୍ଯ୍ୟକ୍ରମ ସବୁଥିରେ ବିପୁଳ ସଫଳତା ପାଇଛି । ଏଠାରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ଆଗ୍ରହ ଓ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ନିର୍ବାହୀ ନିର୍ଦେଶକ କହିଥିଲେ, "ଉତ୍ପାଦନ କ୍ଷେତ୍ରରେ ଆଜି ନାଲ୍କୋ ସାରା ଦେଶରେ ଆଗୁଆ ରହିଛି । ନିଜର ଆବଶ୍ୟକ କୋଇଲା, ବକ୍ସାଇଟ ଓ ଅନ୍ୟାନ୍ୟ କଞ୍ଚାମାଲ ନାଲ୍କୋ ନିଜେ ଉତ୍ପାଦନ କରୁଥିବାରୁ କାହା ଉପରେ ନିର୍ଭର କରିବାକୁ ପଡୁନାହିଁ । ଅନୁଗୋଳସ୍ଥିତ ନାଲ୍କୋ କାରଖାନାରୁ ଏବେ ବାର୍ଷିକ ୪ ଲକ୍ଷ ୬୦ ହଜାର ମେଟ୍ରିକ ଟନ୍ ଆଲୁମିନିୟମ ଉତ୍ପାଦନ ହୋଇପାରିଛି । ସେହିପରି ଦାମନଯୋଡିରେ ମଧ୍ୟ ଆବଶ୍ୟକ ଅନୁପାତରେ ବକ୍ସାଇଟ ଉତ୍ପାଦନ ହୋଇପାରୁଛି ।" ତେଣୁ ନାଲ୍କୋ ସାରା ଦେଶର ଆର୍ଥିକ ମେରୁଦଣ୍ଡ ପାଲଟିଛି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ ନାଲ୍କୋର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଅନୁଗୋଳ