ଅନୁଗୋଳ: ଶୁକ୍ରବାର ଅନୁଗୋଳ ଜିଲ୍ଲାରୁ ପୁଣି 40 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 40 ଜଣକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 619ରେ ପହଞ୍ଚିଛି । ଶୁକ୍ରବାର ଚିହ୍ନଟ 40 ଜଣଙ୍କ ମଧ୍ୟରୁ ବଅଁରପାଳ ବ୍ଲକରୁ ସର୍ବାଧିକ 17 ଜଣ ପଜିଟିଭ ରହିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
ସେହିପରି ତାଳଚେର ବ୍ଲକ ଅଞ୍ଚଳରୁ 11 ଅନୁଗୋଳ ପୌରପାଳିକା ଅଞ୍ଚଳରୁ 6 ଜଣ ଅନୁଗୋଳ ବ୍ଲକ ଅଞ୍ଚଳରୁ 5 ଓ ଆଠମଲ୍ଲିକ ଏନଏସିରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ରହିଛି। ବଅଁରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୭ଜଣଙ୍କ ମଧ୍ୟରୁ ୯ଜଣ ପୁରୁଷ ଓ ୮ଜଣ ମହିଳା ଅଛନ୍ତି । ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୧ଜଣଙ୍କ ମଧ୍ୟରୁ ୪ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି । ଅପରପକ୍ଷେ ଅନୁଗୋଳ ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ୨ଜଣ ପୁରୁଷଙ୍କ ମଧ୍ୟରୁ ୨ଜଣ ପୃଥକ ଭାବେ ଭୁବନେଶ୍ବରର ଦୁଇଟି ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।
ଅନୁଗୋଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରେ ୪ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ସେହିପରି ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଏକ ୱାର୍ଡରୁ ଜଣେ ମହିଳା କୋରୋନା ପଜିଟିଭ ହୋଇଥିବା ଜଣାପଡିଛି । ସମସ୍ତ ଲକ୍ଷଣ ବିହୀନ ଓ ସ୍ବଳ୍ପ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ ନିଜଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯିବା ସହ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଉଛି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।
ଇତି ମଧ୍ୟରେ ତାଳଚେର କୋଭିଡ ହସପିଟାଲରୁ ସୁସ୍ଥ ହୋଇଥିବା ୫ଜଣଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୪୦୧ ଜଣଙ୍କୁ ମିଶାଇ ଜିଲ୍ଲାର ମୋଟ ସୁସ୍ଥ ସଂଖ୍ୟା ୪୦୬ ଜଣରେ ପହଞ୍ଚିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ