ଟୋକିଓ: ଟୋକିଓ ଅଲିମ୍ପିକ୍ସ ଖୁସିକୁ ଆଉ ପାଦେ ଆଗକୁ ନେଲେ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ । ଟୋକିଓ ଅଲିମ୍ପିକ୍ସ ଡେ-7ରେ ସିନ୍ଧୁ ନକଆଉଟ୍ ମୁକାବିଲାରେ ବିଜୟୀ ହୋଇ କ୍ବାଟର ଫାଇନାଲକୁ ପ୍ରବେଶ କରିଛନ୍ତି । ବ୍ୟାଡମିଣ୍ଟନ ମହିଳା ଏକକ ଇଭେଣ୍ଟରେ ସିନ୍ଧୁ ଡେନମାର୍କର ମିୟା ବ୍ଲିଚଫେଟଙ୍କୁ 21-15, 21-13 ରେ ପରାସ୍ତ କରିଛନ୍ତି ।
ପ୍ରଥମ ସେଟରେ ସିନ୍ଧୁ 21 ମିନିଟରେ 21-15 ରେ ବିଜୟୀ ହୋଇଥିଲେ । ଦ୍ବିତୀୟ ସେଟ୍ ଡେନମାର୍କ ଖେଳାଳି ମିୟାଙ୍କ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଥିଲା । ମାତ୍ର ଏଥିରେ ମଧ୍ୟ ସିନ୍ଧୁ 13-7ରେ ବିଜୟୀ ହୋଇ ଭାରତୀୟଙ୍କ ଟୋକିଓ ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ଆଶାକୁ ଆଉ ପାଦେ ଆଗକୁ ଅଗ୍ରସର କରାଇଛି ।
ତେବେ ରିଓ ଅଲିମ୍ପିକ୍ସର ରଜତ ବିଜେତା ପିଭିଙ୍କ ବିଜୟ ଧାରା ଟୋକିଓ ଅଲିମ୍ପିକ୍ସରେ ବେଶ୍ ଉତ୍ସାହଜନକ ରହିଛି । ଏହାପୂର୍ବରୁ ସିନ୍ଧୁ ଗତ ମ୍ୟାଚରେ 35 ମିନିଟ ଧରି ଚାଲିଥିବା ଏକ ମ୍ୟାଚରେ ହଂକଂର ଚେଉଙ୍ଗ ନହାନଙ୍କୁ 21-9, 21-16 ରେ ପରାସ୍ତ କରିଥିଲେ । ଏହା ସହିତ ସିନ୍ଧୁ ଗ୍ରୁପ୍ ପର୍ଯ୍ୟାୟର ଉଭୟ ମ୍ୟାଚ୍ ଜିତିଥିଲେ । ଏହି ବିଜୟ ପରେ ସିନ୍ଧୁ ନକ୍ଆଉଟ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିଲେ।
ଏହାପୂର୍ବରୁ ପିଭି ସିନ୍ଧୁ ଟୋକିଓ ଅଲିମ୍ପିକ୍ସରେ ମହିଳା ସିଙ୍ଗଲ୍ସର ପ୍ରଥମ ଗ୍ରୁପ୍ ଜେ ମ୍ୟାଚରେ ଇସ୍ରାଏଲର ସୋନିଆ ପୋଲିକାରପୋଭାଙ୍କୁ ପରାସ୍ତ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ