କାନବେରା(ଅଷ୍ଟ୍ରେଲିଆ): ବିଶ୍ବ ମହିଳା ଟେନିସ ମାନ୍ୟତାର ନମ୍ବର ୧ ଖେଳାଳି ଆସଲେ ବାର୍ଟି ଦମଦାର ବିଜୟ ସହ ଏକ ନୂଆ ସିଜିନର ଆରମ୍ଭ କରିଛନ୍ତି । ନିଜର ଘରୋଇ ଗ୍ରାଣ୍ଡସ୍ଲାମ- ଅଷ୍ଟ୍ରେଲିଆନ ଓପନ ଟୁର୍ନାମେଣ୍ଟ ପୂର୍ବରୁ ରବିବାର ଆଡିଲେଡ୍ ଇଣ୍ଟରନ୍ୟାସନାଲ ଟାଇଟେଲ ଜିତିଛନ୍ତି ବାର୍ଟି । ଫାଇନାଲ ମୁକାବିଲାରେ ବିଶ୍ବ ମାନ୍ୟତାର ୧୪ନମ୍ବର ସ୍ଥାନରେ ଥିବା କାଜାଖିସ୍ତାନର ଏଲେନା ରେବାକିନାଙ୍କୁ ୬-୩, ୬-୨ ସିଧାସଳଖ ସେଟ୍ରେ ହରାଇଛନ୍ତି ।
ଏହା ବାର୍ଟିଙ୍କ କ୍ୟାରିୟରର ୧୪ତମ ସିଙ୍ଗଲ୍ସ ଟାଇଟେଲ ଓ ଆଡିଲେଡ୍ରେ ଦ୍ବିତୀୟ ତାଜ । ଏହି ବିଜୟ ସହିତ ଆଗାମୀ ଅଷ୍ଟ୍ରେଲିଆନ ଓପନ ବିଜେତା ହେବାର ଦାବିଦାର ହୋଇଛନ୍ତି ବାର୍ଟି । ପୂର୍ବତନ ୱିମ୍ବଲଡନ ଚାମ୍ପିଅନ ବାର୍ଟି ମ୍ୟାଚ୍ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲେ । ଏକ ସମୟରେ ୩-୩ରେ ପଏଣ୍ଟ ବରାବର ରହିଥିଲା । ମାତ୍ର ୨୯ ମିନିଟ୍ ଧରି ଖେଳାଯାଇଥିବା ପ୍ରଥମ ସେଟ୍କୁ ୬-୩ରେ ଜିତିନେଇଥିଲେ । ଏହାପରେ ଦ୍ବିତୀୟ ସେଟ୍କୁ ମଧ୍ୟ ସମାନ ଅନ୍ଦାଜରେ ଏକତରଫା ୬-୨ରେ ନିଜ ନାମରେ କରିଥିଲେ ।
ଏହାମଧ୍ୟ ପଢନ୍ତୁ: ଭାରତୀୟ ଯୋଡି ବୋପାନ୍ନ ଓ ରାମାନାଥନ ଆଡିଲେଡ୍ ଡବଲ୍ସ ଟାଇଟେଲ ବିଜେତା
୨୫ ବର୍ଷୀୟା ବାର୍ଟି ଆମେରିକୀୟ ପ୍ରୋଡିଗି କୋକୋ ଗୌଫ, ୨୦୨୦ ଅଷ୍ଟ୍ରେଲିଆନ ଓପନ ଚାମ୍ପିଅନ ସୋଫିଆ କେନିନ ଓ ୨୦୨୦ ଫ୍ରେଞ୍ଚ୍ ଓପନ ବିଜେତା ପୋଲାଣ୍ଡର ଇଗା ସ୍ବିଆତେକଙ୍କୁ ହରାଇ ଆଡିଲେଡ୍ ଟାଇଟେଲ ହାସଲ କରିଛନ୍ତି । ୨୦୨୧ ଆରମ୍ଭରୁ ଅଷ୍ଟ୍ରେଲିଆ ମାଟିରେ ବାର୍ଟିଙ୍କ ଜବରଦସ୍ତ ବିଜୟ ରେକର୍ଡ ରହିଛି । ଘରୋଇ ମାଟିରେ ଶେଷ ୨୫ଟି ମ୍ୟାଚ୍ରୁ ୨୧ରେ ବାଜି ମାରିଛନ୍ତି ବାର୍ଟି ।
IANS