ଦୁବାଇ: ଟିମ ଇଣ୍ଡିଆ ଓପନର ରୋହିତ ଶର୍ମା ନିଜର ସଫଳତମ କ୍ୟାରିୟରରେ ଆଉ ଏକ ବିରାଟ ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି । ଦ୍ବିତୀୟ ଭାରତୀୟ ଓ ମୋଟ ଭାବେ ତୃତୀୟ ଖେଳାଳି ଭାବେ ଟି-୨୦ କ୍ରିକେଟରେ ୩,୦୦୦ ରନ୍ ପୂର୍ଣ କରିଛନ୍ତି ରୋହିତ ଶର୍ମା । ଚଳିତ ଟି-୨୦ ବିଶ୍ବକପରେ ନାମ୍ବିଆ ବିପକ୍ଷ ମ୍ୟାଚ୍ରେ ଏହି ସଫଳତା ହାସଲ କରିଛନ୍ତି ରୋହିତ ।
୧୧୬ତମ ଟି-୨୦ ମ୍ୟାଚ୍ରେ ୩,୦୦୦ ରନ୍ ପୂରଣ କରିଛନ୍ତି ରୋହିତ । ୩୪ ବର୍ଷୀୟ ଓପନର ଟିମ ଇଣ୍ଡିଆର ଆଗାମୀ ଟି-୨୦ କ୍ୟାପଟେନ ହେବାକୁ ଯାଉଛନ୍ତି । ବର୍ଷ ୨୦୦୭ରେ କ୍ରିକେଟର ଛୋଟ ଫର୍ମାଟରେ ଡେବ୍ୟୁ କରିଥିଲେ ରୋହିତ ।
ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ ବିରାଟ କୋହଲିଙ୍କ ନାମରେ ରହିଛି । କୋହଲି ୩,୨୨୭ ରନ୍ ସହ ତାଲିକାର ଶୀର୍ଷରେ ରହିଛନ୍ତି । ଦ୍ବିତୀୟରେ ୩,୧୧୫ ରନ୍ ସହ ନ୍ୟୁଜିଲାଣ୍ଡ ଓପନର ମାର୍ଟିନ ଗୁପ୍ଟିଲ ରହିଛନ୍ତି । ତୃତୀୟ ସ୍ଥାନରେ ରୋହିତ ରହିଛନ୍ତି ।
ଟିମ ଇଣ୍ଡିଆର କ୍ୟାପଟେନ ଭାର ରୋହିତଙ୍କୁ ମିଳିବାକୁ ଯାଉଛି । ନଭେମ୍ବର ୧୭ରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ସିରିଜରୁ ସେ ନେତୃତ୍ବ ନେଇ ପାରନ୍ତି । ନାମ୍ବିଆ ବିପକ୍ଷ ମ୍ୟାଚ୍ରେ ଟସ୍ ସମୟରେ ବିରାଟ କୋହଲି, ଫଟାଫଟ ଫର୍ମାଟରେ ଟିମ ଇଣ୍ଡିଆର କ୍ୟାପଟେନ ଭାବେ ରୋହିତଙ୍କ ନାମ ନେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ