ଦୁବାଇ: ସ୍କଟଲାଣ୍ଡ ବିପକ୍ଷରେ ୧୬ ରନ୍ରେ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ଫଳରେ ନ୍ୟୁଜିଲାଣ୍ଡ ପାଇଁ ସେମିଫାଇନାଲ ବାଟ ଆହୁରି ସହଜ ହୋଇଛି । ଗ୍ରୁପ-୨ରେ ପାକିସ୍ତାନ ସେମିଫାଇନାଲରେ ସ୍ଥାନ ପକ୍କା କରି ସାରିଛି । ୧୭୩ ରନ୍ ବିଜୟ ଲକ୍ଷ୍ୟ ପଡ଼ିଆ ଓହ୍ଲାଇଥିବା ସ୍କଟଲାଣ୍ଡ ଲଢ଼ୁଆ ପ୍ରଦର୍ଶନ କରି ୫ ୱିକେଟ ବିନିମୟରେ ୧୫୬ ରନ୍ କରିବାକୁ ହିଁ ସକ୍ଷମ ହୋଇ ପାରିଥିଲା ।
ଏହି ବିଶାଳ ଟାର୍ଗେଟ ହାସଲ କରିବାକୁ ପ୍ରଥମରୁ ହିଁ ଆକ୍ରାଣତ୍ମକ ବ୍ୟାଟିଂ କରିଥିଲା ସ୍କଟଲାଣ୍ଡ ଦଳ । ତେବେ ୩ ନମ୍ବର ଓଭରରେ ଦଳ ତାର ପ୍ରଥମ ୱିକେଟ ହରାଇଥିଲା । ଏହାପରେ ଜର୍ଜ ମୁନ୍ସି ଓ ମାଥ୍ୟୁ କ୍ରସ୍ଙ୍କ ମଧ୍ୟରେ ୪୦ ରନ୍ରୁ ଅଧିକ ଭାଗିଦାରୀ ଦେଖିବାକୁ ମିଳିଥିଲା । ସ୍କଟଲାଣ୍ଡର ସମସ୍ତ ବ୍ୟାଟରଙ୍କୁ ଭଲ ଆରମ୍ଭ ମିଳିଥିଲେ ସୁଦ୍ଧା କେହି ଏହାକୁ ବଡ଼ ସ୍କୋରରେ ପରିଣତ କରି ପାରିନଥିଲେ । ଦଳ ପକ୍ଷରୁ ମାଇକେଲ ଲିସ୍କ ସର୍ବାଧିକ ୪୨ ରନ୍ କରିଥିଲେ ।
ଏହାପରେ ମାଥ୍ୟୁ କ୍ରସ୍ ୨୭, ଜର୍ଜ ମୁନ୍ସି ୨୨ ରିଚି ବେରିଙ୍ଗଟନ ୨୦, କାଇଲ କୁଜର ୧୭ ରନ୍ କରିଥିଲେ । ଆଉ କୌଣସି ବ୍ୟାଟର ଆଖି ଦୃଶିଆ ସ୍କୋର କରି ପାରିନଥିଲେ । ଶେଷ ଓଭରରେ ଦଳକୁ ବିଜୟ ପାଇଁ ୨୬ ରନ୍ ଆବଶ୍ୟକ ହେଉଥିଲା । ତାହା ସମ୍ଭବ ହୋଇ ପାରିନଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଓ ଇଶ ସୋଢ଼ୀ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ଟିମ ସାଉଦି ଗୋଟିଏ ୱିକଟେ ନେଇଥିଲେ ।
ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ସ୍କଟଲାଣ୍ଡ ଦଳ । ଆରମ୍ଭରୁ ସ୍କଟଲାଣ୍ଡ ପକ୍ଷରୁ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ୪ ଓଭର ଗୋଟିଏ ବଲରେ ନ୍ୟୁଜିଲାଣ୍ଡର ଦଳୀୟ ସ୍କୋର ୩୫ ରନ୍ ହୋଇଥିଲା । ଏହି ସମୟରେ ଓପନର ଡାରିଲ ମିଚେଲଙ୍କୁ ଆଉଟ କରିଥିଲେ ସାଫିୟାନ ସରିଫ । ଅଧିନାୟକ କେନ ୱିଲିୟମସନ ଖାତା ଖୋଲିବା ପୂର୍ବରୁ ତାଙ୍କୁ ପାଭେଲିୟନ ରାସ୍ତା ଦେଖାଇଥିଲେ ସାଫିୟାନ ସରିଫ ।
ଏହାପରେ ଡେଭନ କନୱେ ମଧ୍ୟ କେବଳ ଏକ ରନ୍ ହିଁ ଖାତାରେ ଯୋଡ଼ି ପାରିଥିଲେ । ଗୋଟିଏ ପରେ ଗୋଟିଏ ଦଳ ୱିକେଟ ହରାଉଥିବା ବେଳେ ଅନ୍ୟପଟେ ମାର୍ଟିନ ଗପ୍ଟିଲ ଆକ୍ରଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ । ଗ୍ଲେନ ଫିଲିପ ଓ ମାର୍ଟିନ ଗପ୍ଟିଲଙ୍କ ମଧ୍ୟରେ ଏକ ଭଳ ଭାଗିଦାରୀ ଦେଖିବାକୁ ମିଳିଥିଲା । ଫଳରେ ଗୋଟିଏ ସମୟରେ ୫୨ ସମୟରେ ରନ୍ରେ ୩ଟି ୱିକେଟ ହରାଇଥିବା ଦଳର ସ୍କୋର ୧୭୨ ହୋଇ ପାରିଥିଲା । ତେବେ ୧୯ତମ ଓଭରରେ ଗ୍ଲେନ ଫିଲିପ୍ ମଧ୍ୟ ୩୩ ରନ୍ କରି ଆଉଟ ହୋଇଥିଲେ । ତାଙ୍କ ପଛକୁ ମାର୍ଟିନ ଗପ୍ଟିଲ ମଧ୍ୟ ଆଉଟ ହୋଇଥିଲେ । ସ୍କଟଲାଣ୍ଡ ପକ୍ଷରୁ ହ୍ବିଲ୍ ଓ ସରିଫ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ମାର୍କ ୱାଟ୍ ଗୋଟିଏ ୱିକେଟ ନେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ