ଦୁବାଇ: ଟି-୨୦ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରି ସଭିଁଙ୍କୁ ଚକିତ କରିଛି ପାକିସ୍ତାନ । ଲଗାତାର ତିନୋଟି ମ୍ୟାଚରେ ତିନୋଟି ବିଜୟ ହାସଲ କରିଥିବା ପାକିସ୍ତାନ ପାଇଁ ଅଧିନାୟକ ବାବର ଆଜମ ଗୁରୁ ଦାୟିତ୍ବ ବହନ କରିଛନ୍ତି । ଦମଦାର ବ୍ୟାଟିଂ ଯୋଗୁଁ ସେ ବର୍ତ୍ତମାନ ଟି-୨୦ ବ୍ୟାଟର ମାନ୍ୟତା ଶୀର୍ଷରେ ପହଞ୍ଚିଛନ୍ତି ।
ଆଇସିସି ପକ୍ଷରୁ ସଦ୍ୟତମ ନୂଆ ଟି-୨୦ ମାନ୍ୟତା ଜାରି ହୋଇଛି । ଏହି ତାଲିକାରେ ୮୩୪ ପଏଣ୍ଟ ସହ ଶୀର୍ଷରେ ପହଞ୍ଚିଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ । ସେପଟେ ପୂର୍ବରୁ ଶୀର୍ଷରେ ଥିବା ଇଂଲଣ୍ଡ ବ୍ୟାଟର ଡାୱିଡ ମଲାନ ୭୯୮ ପଏଣ୍ଟ ସହ ଦ୍ବିତୀୟ ସ୍ଥାନକୁ ଖସି ଆସିଛନ୍ତି । ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଶେଷ ମ୍ୟାଚରେ ଗୁରୁତ୍ବପୂର୍ଣ୍ଣ ରନ୍ ସଂଗ୍ରହ କରିଥିବାରୁ ସେ ତିନୋଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ରହିଛନ୍ତି ।
ଅନ୍ୟ ପକ୍ଷରେ ଟି-୨୦ ବ୍ୟାଟର ରାଙ୍କିଂ ତାଲିକାରେ ବିରାଟ କୋହଲି ଓ କେ.ଏଲ ରାହୁଲ ଯଥାକ୍ରମେ ପଞ୍ଚମ ଓ ଅଷ୍ଟମ ସ୍ଥାନ ବଜାୟ ରଖିଛନ୍ତି । ଇଂଲଣ୍ଡ ଓପନର ଜୋଶ ବଟଲର ଗତ ମ୍ୟାଚରେ ଶତକ ହାସଲ କରିଥିଲେ । ଫଳରେ ସେ ୮ଟି ସ୍ଥାନ ଉପରକୁ ଉଠି ନବମ ସ୍ଥାନରେ ପହଞ୍ଚିଛନ୍ତି । ୱେଷ୍ଟ ଇଣ୍ଡିଜର ବ୍ୟାଟର ଏଭିନ ଲୁଇସ୍ ଗୋଟିଏ ସ୍ଥାନ ତଳକୁ ଖସି ଦଶମ ସ୍ଥାନରେ ରହିଛନ୍ତି ।
ବୋଲର ଓ ଅଲରାଉଣ୍ଡର ତାଲିକାରେ ଭାରତର କୌଣସି ଖେଳାଳି ସାମିଲ ହୋଇ ପାରି ନାହାନ୍ତି । ବୋଲର ରାଙ୍କିଂରେ ଶ୍ରୀଲଙ୍କାର ୱାନିନ୍ଦୁ ହାସାରଙ୍ଗା ଶୀର୍ଷରେ ରହିଥିବା ବେଳେ ଅଲରାଉଣ୍ଡର ତାଲିକାରେ ବାଂଲାଦେଶର ସାକିବ୍-ଅଲ-ହାସନ ଓ ଆଫଗାନିସ୍ତାନର ମହମ୍ମଦ ନବୀ ଯୁଗ୍ମ ଭାବରେ ଶୀର୍ଷରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ