ଆମଷ୍ଟେଲଭିନ: ମହିଳା ହକି ବିଶ୍ବକପର ଦ୍ବିତୀୟ ମ୍ୟାଚରେ ଭାରତ ଓ ଚୀନ ପରସ୍ପରକୁ ଭେଟିଥିଲେ । 1-1 ଗୋଲରେ ଭାରତ ଚୀନ ସହ ମ୍ୟାଚ ଡ୍ର ରଖିଛି । ମ୍ୟାଚ ଡ୍ର ହେବାରୁ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି । 2ଟି ମ୍ୟାଚ ଖେଳି ଭାରତ 2 ପଏଣ୍ଟ ପାଇଛି । ଚୀନ ପଏଣ୍ଟ ମଧ୍ୟ ସମାନ ରହିଛି । ମାତ୍ର ଗୋଲ ବ୍ୟବଧାନରେ ଭାରତଠୁ ଚୀନ ଆଗରେ ରହିଛି ।
ଚୀନ ବିପକ୍ଷରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ରହିଥିଲା । ପ୍ରଥମ କ୍ବାର୍ଟର ଗେମ ଗୋଲଶୂନ୍ୟ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ଚୀନ ଗୋଲ କରି ଖାତା ଖୋଲିଥିଲା । 26 ମିନିଟରେ ଜିଆଲି ଝେଙ୍ଗ ଚମତ୍କାର ଫିଲ଼୍ଡ ଗୋଲ ଦେଇ ଦଳକୁ 1-0ରେ ଆଗୁଆ କରାଇଥିଲେ । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଚୀନ ଆଗରେ ରହିଥିଲା ।
ଚତୁର୍ଥ କ୍ବାର୍ଟରରେ ଅନେକ ସମୟ ପରେ ଗୋଟିଏ ଗୋଲ କରିବାରେ ସଫଳ ହୋଇଥିଲା ଭାରତ । ଶେଷ 45 ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ବନ୍ଦନା କାଟାରିଆ ଗୋଲ ରୂପ ଦେବାରେ ସଫଳ ହୋଇଥିଲେ । ଶେଷ କ୍ବାର୍ଟରରେ ଦୁଇ ଦଳ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା । ସମସ୍ତ ପ୍ରୟାସ ପରେ ଦ୍ବିତୀୟ ଗୋଲ କରିବାରେ ଅସଫଳ ହୋଇଥିଲେ ଦୁଇଦଳ । ଶେଷରେ ମ୍ୟାଚ ଡ୍ର'ରେ ଶେଷ ହୋଇଥିଲା ।
ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ଭେଟିଥିଲା ଭାରତ। ମ୍ୟାଚଟି ମଧ୍ୟ ଡ୍ର ହୋଇଥିଲା । ଦ୍ବିତୀୟ ମ୍ୟାଚଟି ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଥିଲା । ଦଳ ଭଲ ଗୋଲ କରି ବିଜୟ ହୋଇଥିଲେ ପଏଣ୍ଟ ଟେବୁଲ ଶୀର୍ଷ ସ୍ଥାନରେ ରହିପାରିଥାନ୍ତା । ଲଗାତାର ଦୁଇଟି ମ୍ୟାଚ ଡ୍ର ହେବା ପରେ ଭାରତ ହୁଏତ ଏ ସୁଯୋଗ ହାତଛଡା କରିଛି । ପୁଲ ବି' ର ଶେଷ ମ୍ୟାଚରେ ଭାରତ ଆସନ୍ତାକାଲି (ଗୁରୁବାର) ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ଭେଟିବ । କ୍ବାର୍ଟରରେ ଖେଳିବାର ସୁଯୋଗକୁ ଭାରତ ହାତଛଡା ନକରି ଭଲ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚକୁ ଜିତିବାକୁ ପଡିବ ।