ନୂଆଦିଲ୍ଲୀ: ଜୁଲାଇ ୨୮ରୁ ଇଂଲଣ୍ଡର ବର୍ମିଂହାମରେ କମନୱେଲ୍ଥ ଗେମ୍ସ (CWG) ୨୦୨୨ ଆରମ୍ଭ ହେବାକୁ ଯାଉଛି । ୨୦୧୮ ମସିହା କମନୱେଲ୍ଥ ଗେମ୍ସରେ ଭାରତ ମୋଟ ୬୬ଟି ପଦକ ହାସଲ କରିଥିଲେ। ଏଥିରେ ୨୬ ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଏବଂ ୨୦ଟି କାଂସ୍ୟ ପଦକ ସାମିଲ ଥିଲା। ଅଷ୍ଟ୍ରେଲିଆ ସର୍ବାଧିକ ୧୯୮ଟି ପଦକ ଜିତି ପଦକ ତାଲିକାରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ମୋଟ ୧୩୬ଟି ପଦକ ସହ ଦ୍ବିତୀୟ ତାଲିକାରେ ରହିଥିଲା । ସେହିପରି ଭାବରେ ଭାରତ ମୋଟ ୬୬ଟି ପଦକ ଜିତି ପଦକ ତାଲିକାରେ ତୃତୀୟ ସ୍ଥାନରେ ରହିଥିଲା ।
କମନୱେଲ୍ଥ ଗେମ୍ସ ୨୦୨୨କୁ ନେଇ ଖେଳାଳିଙ୍କ ସହ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପଦକ ତାଲିକାରେ ଭାରତ ତାର ସ୍ଥାନ ବଜାୟ ରଖିବ ବୋଲି ଆଶା କରାଯାଉଛି । ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କ ପାଖରୁ ଦେଶ ପଦକ ଆଶା ରଖିଛି ।
ଆଉ କେଉଁ କ୍ରୀଡାବିତଙ୍କ ପାଖରୁ ରହିଛି ପଦକ ଆଶା:-
ଭାରତ ୫ଜଣ ଆଥ୍ଲେଟଙ୍କ ଠାରୁ କମନୱେଲ୍ଥ ଗେମ୍ସ ୨୦୨୨ରେ ପଦକ ଆଶା ରଖାଯାଇଛି । ସେମାନେ ହେଲେ ନୀରଜ ଚୋପ୍ରା, ବକ୍ସର ମୀରାବାଇ ଚାନୁ, ବ୍ୟାଡମିଣ୍ଟନ ଖେଳାଳି କିଦାମ୍ବୀ ଶ୍ରୀକାନ୍ତ, ଲକ୍ଷ ସେନ ଓ ଆଥଲେଟ୍ ହିମା ଦାସ । ଏମାନଙ୍କ ପୂର୍ବ ପ୍ରଦର୍ଶନକୁ ଆଧାର କରି ଚଳିତ ଥର ମଧ୍ୟ ଏମାନେ ପଦକ ଆଣିପାରନ୍ତି ବୋଲି ଆଶା କରାଯାଉଛି ।
ନୀରଜ ଚୋପ୍ରା: ଜାଭ୍ଲିନ ଥ୍ରୋ' ତାରକା ସୁନା ପୁଅ ନିରଜ ଚୋପ୍ରା ଟୋକିଓ ଅଲମ୍ପିକ୍ସରେ ୮୭.୫୮ ମିଟର ପର୍ଯ୍ୟନ୍ତ ଜାଭଲିନ ଥ୍ରୋ କରି ଦେଶକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ । ଫିନଲାଣ୍ଡରେ କୋର୍ଟେନ ଗେମ୍ସରେ ମଧ୍ୟ ନିରଜ ସ୍ବର୍ଣ୍ଣ ପଦକ ହାସଲ କରି ଦେଶକୁ ପୁଣି ଥରେ ଗୌରବାନ୍ବିତ କରିଛନ୍ତି । ଫିନ୍ଲାଣ୍ଡରେ ଆୟୋଜିତ ପାଭୋ ନୁରମି ଗେମ୍ସରେ ୮୯.୦୩ ମିଟର ଜାଭଲିନ ଥ୍ରୋ' କରି ଟୋକିଓ ଅଲମ୍ପିକ୍ସରେ କରିଥିବା ରେକର୍ଡ ଭାଙ୍ଗିଥିଲେ ନିରୋଜ । ତେଣୁ ସେ ଦେଶକୁ କମନୱେଲ୍ଥ ଗେମ୍ସ ୨୦୨୨ରେ ପଦକ ଭେଟି ଦେବେ ବୋଲି ଆଶା କରାଯାଉଛି।
କିଦାମ୍ବି ଶ୍ରୀକାନ୍ତ: ବ୍ୟାଡମିଣ୍ଟନ ଷ୍ଟାର କିଦାମ୍ବି ଶ୍ରୀକାନ୍ତଙ୍କ ନେତୃତ୍ବରେ ଭାରତ ୭୩ ବର୍ଷ ପରେ ୧୬ ଥର ଚମ୍ପିଆନ୍ ଇଣ୍ଡୋନେସିଆକୁ ୩-୦ ଗୋଲରେ ମାତ୍ ଦେଇ ଥୋମାସ୍ କପ୍ ଟ୍ରଫି ହାତେଇଛି । ତେଣୁ ବ୍ୟାଡମିଣ୍ଟନରେ ଦେଶ ତାଙ୍କ ପାଖରୁ ମଧ୍ୟ ପଦକ ଆଶା ରଖିଛି ।
ମୀରାବାଇ ଚାନୁ: ୨୦୨୦ ଟୋକିଓ ଅଲମ୍ପିକ୍ସରେ ଭାରତର ପଦକ ଅଭିଯାନର ଆରମ୍ଭ କରିଥିଲେ ମଣିପୁରର ମଣି ମୀରାବାଇ ଚାନୁ । ଭାରତ୍ତୋଳନକାରୀ ମୀରାବାଇ ଚାନୁ ଟୋକିଓ ଅଲମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ । ତେଣୁ ଦେଶ କମନୱେଲ୍ଥ ଗେମ୍ସ ୨୦୨୨ରେ ତାଙ୍କ ପାଖରୁ ପଦକ ଆଶା ରଖିଛି ।
ହିମା ଦାସ: ଧାବିକା ହିମା ଦାସ ଚେନ୍ନାଇରେ ୬୧ ତମ ରାଷ୍ଟ୍ରୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚମ୍ପିଆନସିପ୍ରେ ୧୦୦ ମିଟର ମହିଳା ଦୌଡରେ ଭାଗ ନେଇ ସ୍ବର୍ଣ୍ଣ ପଦକ ଜିତି ଥିଲେ । ଫାଇନାଲରେ ହିମା ଦାସ ଧାବିକା ଦୂତି ଚାନ୍ଦକୁ ହରାଇ ଥିଲେ । ହିମା ଦାସ ୧୧.୪୩ ସେକେଣ୍ଡରେ ୧୦୦ ମିଟର ପାର କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ଦୂତି ଚାନ୍ଦ ୧୧.୪୪ ସେକେଣ୍ଡରେ ୧୦୦ ମିଟର ପାର କରିଥିଲେ । ତେଣୁ ଦେଶ କମନୱେଲ୍ଥ ଗେମ୍ସ ୨୦୨୨ରେ ହିମାଙ୍କ ପାଖରୁ ପଦକ ଆଶା ରଖିଛି ।
ଲକ୍ଷ ସେନ: ଉତ୍ତରାଖଣ୍ଡର ବ୍ୟାଡମିଣ୍ଟନ ଷ୍ଟାର ଲକ୍ଷ ସେନ୍ ପ୍ରଥମ ଭାରତୀୟ ଯିଏକି ୨୧ ବର୍ଷରେ ଅଲ ଇଂଲଣ୍ଡ ଓପନ ଫାଇନାଲରେ ପହଞ୍ଚି ପାରିଥିଲେ । ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ୍ ୨୦୨୧ରେ ଲକ୍ଷ ସେନ୍ ଭାରତ ପାଇଁ ବ୍ରୋଞ୍ଜ ପଦକ ଆଣିଥିଲେ । ଏହା ସହିତ ଲକ୍ଷ ସେନ୍ ଇଣ୍ଡିଆ ଓପନ ଟାଇଟଲ ୨୦୨୨ ହାସଲ କିରଛନ୍ତି । ତେଣୁ କମନୱେଲ୍ଥ ଗେମ୍ସ ୨୦୨୨ରେ ତାଙ୍କଠାରୁ ମଧ୍ୟ ପଦକ ଆଶା କରାଯାଉଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ