ଭୁବନେଶ୍ବର: ଭାରତୀୟ ଷ୍ଟାର ଧାବିକା ଦୂତୀ ଚାନ୍ଦ ଆଗାମୀ ଟୋକିଓ ଅଲମ୍ପିକ୍ସ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ପ୍ରସ୍ତୁତିରେ କୌଣସି କମି ନ ରଖିବା ଲକ୍ଷ୍ୟରେ ରହିଛନ୍ତି ଦୂତୀ । ଏପରିକି ପ୍ରତିକୂଳ ପାଗ କିମ୍ବା ପରିସ୍ଥିତି ମଧ୍ୟ ତାଙ୍କ ପ୍ରସ୍ତୁତିକୁ ପ୍ରଭାବିତ କରିପାରିନାହିଁ । ଆଥଲେଟିକ୍ସରେ ଦେଶ ତଥା ରାଜ୍ୟର ଅଲମ୍ପିକ ପଦକ ସ୍ବପ୍ନ ପୂରଣ କରିବାକୁ ପ୍ରତ୍ୟେକ ଦିନ 6ରୁ 7 ଘଣ୍ଟା ଟ୍ରାକ୍ରେ କଡା ଅଭ୍ୟାସ କରୁଛନ୍ତି ଦୂତୀ । ବୁଧବାର ବିଶ୍ବ ମାନ୍ୟତା ଆଧାରରେ ଉଭୟ 100 ଓ 200 ମିଟର ଦୌଡ ପ୍ରତିଯୋଗିତା ପାଇଁ ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତୀ ।
ଅଲମ୍ପିକ ପ୍ରସ୍ତୁତିକୁ ନେଇ ଦୂତୀ କହିଛନ୍ତି, "ଅଭ୍ୟାସ ଠିକଭାବେ ଚାଲିଛି । ସକାଳ 6.00ରୁ 10.00ଟା ପର୍ଯ୍ୟନ୍ତ, ଦିନ 11.00ଟାରୁ ଅପରାହ୍ନ 12.00ଟା ପର୍ଯ୍ୟନ୍ତ ଓ ପରେ ଅପରାହ୍ନ 4.00ଟାରୁ 6.00ଟା ପର୍ଯ୍ୟନ୍ତ ଅଭ୍ୟାସ କରୁଛି । ଦୈନିକ ପ୍ରାୟ 6ରୁ 7 ଘଣ୍ଟା ଅଭ୍ୟାସ କରୁଛି ।"
ଷ୍ଟାର ଧାବିକା ଦୂତୀ ଚାନ୍ଦ ଟୋକିଓ ଅଲମ୍ପିକରେ ପଦକ ବିଜୟ ନେଇ ଦୃଢ ଆଶାବାଦୀ ଅଛନ୍ତି ଓ ମେଗା ଅଲମ୍ପିକ ଇଭେଣ୍ଟରେ ପ୍ରଭାବୀ ପ୍ରଦର୍ଶନ ପାଇଁ ନିଜକୁ ପ୍ରସ୍ତୁତି କରୁଛନ୍ତି ।
ଟୋକିଓ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଥିବାରୁ ବେଶ ଖୁସି ବୋଲି କହିଛନ୍ତି ଦୂତୀ । ଏଥିସହ ଦ୍ବିତୀୟ ଥର ପାଇଁ ଅଲମ୍ପିକ୍ସରେ ବ୍ୟକ୍ତିଗତ ବର୍ଗରେ ଅଂଶଗ୍ରଣଣ କରୁଥିବାରୁ ବିଶେଷ ଭାବେ ଗର୍ବିତ ଅନୁଭବ କରୁଥିବା କହିଛନ୍ତି । ପୂର୍ବରୁ 2016 ରିଓ ଅଲମ୍ପିକ୍ସରେ 100 ମିଟର ଇଭେଣ୍ଟରେ ଭାରତର ପ୍ରତିନିଧିତ୍ବ କରିସାରିଛନ୍ତି ଦୂତୀ ।
ଭଲ ପ୍ରଦର୍ଶନ ନେଇ ବିଶ୍ବାସ ଥିବା ଦୂତୀ କହିଥିବାବେଳେ, ଏହି ପର୍ଯ୍ୟନ୍ତ ପହଞ୍ଚିବାର ସଫଳ ଯାତ୍ରାର ଶ୍ରେୟ ସେ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ, କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ, ଓଡିଶା ସରକାର, ରାଜ୍ୟ କ୍ରୀଡାମନ୍ତ୍ରୀ, କିସ୍ ଓ କିଟ୍ର ପ୍ରତିଷ୍ଠାତା ଡଃ. ଅଚ୍ୟୁତ ସାମନ୍ତ ଓ ଭାରତୀୟ ଆଥଲେଟିକ ଫେଡେରେସନକୁ ଦେଇଛନ୍ତି । ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ ସହ ପଦକ ଜିତିବାକୁ ଜୋର୍ ଲଗାଇବେ ବୋଲି ମଧ୍ୟ କହିଛନ୍ତି ।
ବିଶ୍ବ ମାନ୍ୟତା ଆଧାରରେ 100 ମିଟର ଦୌଡ ପ୍ରତିଯୋଗିତା ପାଇଁ 22ଟି ସ୍ଥାନ ଓ 200 ମିଟର ପ୍ରତିଯୋଗିତା ପାଇଁ 15ଟି ସ୍ଥାନ ରହିଥିଲା । 100 ମିଟର ବିଶ୍ବ ମାନ୍ୟତାରେ ଦୂତୀ 44 ଓ 200 ମିଟର ମାନ୍ୟତାରେ 51ତମ ସ୍ଥାନରେ ରହି ଆସନ୍ତା ମାସରେ ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବକ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।
60ତମ ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚମ୍ପିଆନସିପ ଦୂତୀଙ୍କ ପାଇଁ ଶେଷ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ଥିଲା । ମାତ୍ର 100 ମିଟର ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନରେ ରହିବା ସହ ଟୋକିଓ ଟିକେଟ ହାସଲ କରିବାରୁ ନିରାଶ ହୋଇଥିଲେ ।
ମାତ୍ର ଗତ ସପ୍ତାହରେ ପଟିଆଲାରେ ଆୟୋଜିତ ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ 4ରେ ଦୂତୀ, ମହିଳା 100 ମିଟର ଦୌଡକୁ 11.17 ସେକେଣ୍ଡରେ ଶେଷକରି ନିଜ ରେକର୍ଡ ଭଙ୍ଗ କରିବା ସହ ନୂଆ ଜାତୀୟ ରେକର୍ଡର ଅଧିକାରିଣୀ ହୋଇଥିଲେ । ମାତ୍ର 0.02 ସେକେଣ୍ଡ ପାଇଁ ସେ ଅଲମ୍ପିକ ଯୋଗ୍ୟତା ହାସଲରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ