ହାଇଦ୍ରାବାଦ: ଟିମ ଇଣ୍ଡିଆ ପାଇଁ ଶୁଭମୟ ହୋଇଛି ସୁପର ସନ୍ଡେ। କ୍ରିକେଟ ହକି କୁସ୍ତି ସବୁଥିରେ ଦମ ଦେଖାଇଛନ୍ତି ମେ ଇନ ବ୍ଳୁ । କ୍ରିକେଟରେ ସିନିୟର ଦଳ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆକୁ ହରାଇ ସିରିଜ କବ୍ଜା କରିଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ବେଙ୍ଗାଲୁରୁର ବ୍ୟାଟିଂ ଅନୁକୁଳ ପିଚରେ ମାତ୍ର 286 ରନ କରିବାକୁ ସମର୍ଥ ହୋଇଥିଲା।
ଏହି ବିଜୟ ଲକ୍ଷ୍ୟକୁ 47.3 ଓଭରରେ ହାସଲ କରିଥିଲା ବିରାଟ ବାହୀନି। ଓପନର ରୋହିତ ଶର୍ମାଙ୍କ ଶତକ ସହ କ୍ୟାପଟେନ କୋହଲି ଦମଦାର 89 ରନ କରିଥିଲେ। ଚିନ୍ନାସ୍ବାମୀ ଷ୍ଟାଡିୟମ ବେଙ୍ଗାଲୁରୁରେ ସୁପର ସନ୍ଡେରେ ଦର୍ଶକ ଦେଖିଥିଲେ ବିଶ୍ବର 2 ଶ୍ରେଷ୍ଠ ଦିନିକିଆ କ୍ରିକେଟର ବିରାଟ କୋହଲି-ରୋହିତଙ୍କ ସୁପର ଶୋ।

ଅନ୍ୟପଟେ 19 ବର୍ଷରୁ କମ ବିଶ୍ବକପରେ ଜୁନିୟର ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ହରାଇଛି। ଫଳରେ 5ଥର ଚମ୍ପିଆନ ଲକ୍ଷ୍ୟରେ ଥିବା ପ୍ରିୟମ ଗାର୍ଗଙ୍କ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 297 ରନ କରିଥିଲା। ଦଳ ପକ୍ଷରୁ ଚମକିଥିଲେ ସମସ୍ତ ଟପଅର୍ଡର ବ୍ୟାଟ୍ସମ୍ୟାନ। ଜଶସ୍ବୀ ଜୟଶ୍ବାଲ ସର୍ବାଧିକ 58, କ୍ୟାପଟେନ ପ୍ରିୟମ ଗାର୍ଗ 56 ଓ ଧ୍ରୁବ ଜୁଏଲ ଅପରାଜିତ 52 ରନର ଇଂନିସ ଖେଳିଥିଲେ। ଫଳରେ 90 ରନରେ ଶ୍ରୀଲଙ୍କାକୁ ପରାଜୟର ସ୍ବାଦ ଚଖାଇଥିଲା ଜୁନିୟର ଟିମ ଇଣ୍ଡିଆ।

ଏଥିସହିତ କଳିଙ୍ଗ ଷ୍ଟାଡିୟମରେ ମଧ୍ୟ ହକି ପ୍ରୋ ଲିଗରେ ଶକ୍ତିଶାଳୀ ନେଦରଲାଣ୍ଡସକୁ 2ୟ ମ୍ୟାଚରେ ମାତ ଦେଇଛି ଭାରତ। ନିର୍ଧାରିତ ମ୍ୟାଚ ସମୟରେ ଉଭୟ ଟିମ 3-3 ଗୋଲରେ ସମାନ ସ୍ଥିତିରେ ରହିଥିଲେ । ପରେ ପେନାଲିଟି ସୁଟଆଉଟରେ ବିଜେତା ସ୍ଥିର ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିରେ ଅଧିକ ସଂଖ୍ୟକ ଗୋଲ କରିଥିଲା ମନପ୍ରୀତ ବାହିନୀ। ଭାରତୀୟ ଗୋଲ କିପର ପି ଆର ଶ୍ରୀଜେଶ ନେଦରଲାଣ୍ଡସର ଗୋଲ ପ୍ରୟାସକୁ ରୋକି ଭାରତର ବିଜୟ ସୁନିଶ୍ଚିତ କରିଥିଲେ। ରବିବାର ଭାରତୀୟ ଦଳ ଖେଳିଥିବା ଏକାଧିକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ବିଜୟୀ ହେବାପରେ, ରବିବାର ଶୁଭବାର ହୋଇଥିବା କୁହାଯାଉଛି।
