କୋଲକାତା: ବିସିସିଆଇ ପୂର୍ବତନ ଅଧ୍ୟକ୍ଷ ତଥା ଭାରତୀୟ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବଡ ଖୁଲାସା । ଏଟିକେ ମୋହନ ବାଗାନ ଫୁଟବଲ କ୍ଲବର ( ATK Mohun Bagan FC ) ନିର୍ଦ୍ଦେଶକ ଭାବରେ ଭବିଷ୍ୟତରେ ସେ ନଜର ଆସିବେ । ଏହା ସହିତ ଗାଙ୍ଗୁଲି ଆହୁରି ମଧ୍ୟ କହିଛନ୍ତି ଆଇଏସଏଲ କ୍ଲବ ( Indian Super League Club ) ପାଇଁ ଖେଳିବାରେ ତାଙ୍କର ବହୁତ ସ୍ମୃତି ରହିଛି । ବୋର୍ଡ ଅଧ୍ୟକ୍ଷ ଭାବରେ ସୌରଭ ଗାଙ୍ଗୁଲିଙ୍କର କାର୍ଯ୍ୟକାଳ ଅକ୍ଟୋବର ୧୮ ତାରିଖରେ ଶେଷ ହୋଇଛି । ବିସିସିଆଇର ୯୧ ତମ ବାର୍ଷିକ ସାଧାରଣ ବୈଠକରେ ୧୯୮୩ ମସିହାର ବିଶ୍ବକପ ସଦସ୍ୟ ରଜୋର ବିନ୍ନୀଙ୍କୁ ଗାଙ୍ଗୁଲିଙ୍କ ବଦଳରେ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା ।
ଗାଙ୍ଗୁଲି ବର୍ଷ ୨୦୨୧ ଅକ୍ଟୋବରରେ ISL କ୍ଲବ ତଥା ଏଟିକେ ମୋହନ ବାଗାନ ଫୁଟବଲ କ୍ଲବର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ । ସେ ବର୍ଷ ୨୦୧୪ ମସିହାରୁ ଇଣ୍ଡିଆନ ସୁପର ଲିଗର ଆରମ୍ଭ ପରଠାରୁ ଏଟୋଲିକ କୋଲକାତା (Atletico-Kolkata) ସହିତ ଜଡିତ ରହିଥିଲେ । ଏବାବଦରେ ଦାଦା କହିଛନ୍ତି, "ମୁଁ ଏଟିକ ମୋହନ ବାଗାନ ଫୁଟବଲ କ୍ଲବ ସହିତ ପୂର୍ବରୁ ଜଡିତ ଥିଲି । ପୁଣି ଥରେ ମୁଁ ଏଟିକେ ମୋହନ ବାଗାନ ଫୁଟବଲ କ୍ଲବର ନିର୍ଦ୍ଦେଶକ ଭାବରେ ଭବିଷ୍ୟତରେ ନଜର ଆସିବି । ମୁଁ ବର୍ଷ ଭୁଲିସାରିଲିଣି । ମୋହନ ବାଗାନ ଫୁଟବଲ କ୍ଲବ ଭିତରେ ପ୍ରବେଶ କରିବା ପରେ ମୁଁ ଭାବବିହ୍ବଳ ହୋଇପଡିଥିଲି । ମୁଁ ଦୀର୍ଘ ଦିନ ଧରି ଏହି କ୍ଲବରେ ଖେଳିଛି । ମୁଁ ପାଖା ପାଖି ୯ ବର୍ଷ ପର୍ଯ୍ୟନ୍ତ ଏହି କ୍ଲବରେ ଖେଳିଛି । ଏବେ ମୁଁ ମୋହନ ବାଗାନ ଫୁଟବଲ କ୍ଲବର ପରିବର୍ତ୍ତନକୁ ଦେଖି ଆଶ୍ଚର୍ଯ୍ୟ ହେଉଛି । ଜଣେ କ୍ରିକେଟର ହିସାବରେ ମୋତେ ସମସ୍ତେ ଜାଣିଛନ୍ତି ହେଲେ ମୋର ଫୁଟବଲ ସହିତ ଅଲଗା ପ୍ରକାର ଭାବନା ଯୋଡି ହୋଇ ରହିଛି ।"
2019ରେ ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ବୋର୍ଡ ଅଧ୍ୟକ୍ଷ ଭାବରେ ସୌରଭ ଗାଙ୍ଗୁଲିଙ୍କର କାର୍ଯ୍ୟକାଳ ଅକ୍ଟୋବର ୧୮ ତାରିଖରେ ଶେଷ ହୋଇଛି । ଆଗାମୀ 3 ବର୍ଷ ପାଇଁ ସେ ବିସିସିଆଇ ପଦ ସମ୍ଭାଳି ପାରିଥାନ୍ତେ । ହେଲେ ବିସିସିଆଇର ଅନ୍ୟ ସଦସ୍ୟ ତାଙ୍କୁ ପୁନର୍ବାର ଅଧ୍ୟକ୍ଷ ପଦରେ ଦେଖିବାକୁ ଚାହୁଁନଥିବା ଜଣାପଡିଥିଲା । ତାଙ୍କୁ ଆଇପିଏଲ ଅଧ୍ୟକ୍ଷ ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ଏଥିରେ ଗାଙ୍ଗୁଲି ରାଜି ହୋଇନଥିଲେ । ତେବେ ସୌରଭ ଗାଙ୍ଗୁଲିଙ୍କ ବଦଳରେ 36 ତମ ବିସିସିଆଇ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ରୋଜର ବନ୍ନି ।