ରାଞ୍ଚି: କୋରୋନା ସଂକ୍ରମଣ ଯୋଗୁଁ ସ୍ଥଗିତ ହେଲା ସିନିଅର ଆଥଲେଟିକ ଚମ୍ପିୟାନସିପ। ଏହାକୁ ନେଇ ଝାଡ଼ଖଣ୍ଡ ଆଥଲେଟ ଆସୋସିଏସନ ସୂଚନା ଦେଇଛି। ଏହି ଚମ୍ପିୟାନସିପ ଝାଡ଼଼ଖଣ୍ଡର ଗୁମଲାରେ ଆୟୋଜିତ କରିବାକୁ ଯୋଜନା ରହିଥିଲା। ତେବେ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ଚମ୍ପିୟାନସିପକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।
11ତମ ଜାତୀୟ ସିନିଅର ଆଥଲେଟିକ୍ସ ଚମ୍ପିୟାନସିପ 2021 ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ଆଥଲେଟିକ ଆସୋସିଏସନ ଓ ଝାଡ଼ଖଣ୍ଡ ଖେଳ ବିଭାଗର ମିଳିତ ଉଦ୍ୟମରେ ସମସ୍ତ କଟକଣା ସହ ଏହି ଚମ୍ପିୟାନସିପ ଆୟୋଜନ ହେବାକୁ ଥିଲା । ଏପ୍ରିଲ 16 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ ସିନିଅର ଆଥଲେଟିକ ଚମ୍ପିୟାନସିପ ଆୟୋଜନ କରିବାକୁ କାର୍ଯ୍ୟକ୍ରମ ରହିଥିଲା। ଝାଡ଼ଖଣ୍ଡ ଆଥଲେଟିକ୍ସ ଆସୋସିଏସନ ସଚିବ ସିଡି ସିଂହ ଏହାକୁ ନେଇ ସୂଚନା ଦେଇଛନ୍ତି। ଏହି ଚମ୍ପିୟାନସିପ କେବେ ଆୟୋଜିତ ହେବ ସେନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ।
ତେବେ ରାଜ୍ୟରେ କୋରୋନାର ପ୍ରାଦୁର୍ଭାବ ଦେଖି ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହାପୂର୍ବରୁ କୋରୋନା ସଂକ୍ରମଣ ଯୋଗୁଁ ଜାତୀୟ ମହିଳା ଜୁନିଅର ହକି ଚମ୍ପିୟାନସିପକୁ ମଧ୍ୟ ସ୍ଥଗିତ କରି ଦିଆଯାଇଛି। ଏହାକୁ ନେଇ ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଏପ୍ରିଲ 3 ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଏପ୍ରିଲ 12 ତାରିଖ ଯାଏଁ ଚାଲିବାକୁ ଥିଲା। ଝାଡ଼ଖଣ୍ଡର ସିମଡେଗାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯୋଜନା ରଖାଯାଇଥିଲା। ମୋଟ 26ଟି ଦଳ ଏଥିରେ ଭାଗ ନେବା କାର୍ଯ୍ୟକ୍ରମ ରହିଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ