ଦୁର୍ଗାପୁର: ଗୃହିଣୀରୁ ବନିଲେ ଚମ୍ପିଆନ୍ । ପାୱାରଲିଫ୍ଟିଂରେ ହାସଲ କଲେ ୬ଟି ସ୍ବର୍ଣ୍ଣ ପଦକ । ପଶ୍ଚିମବଙ୍ଗ ଦୁର୍ଗାପୁରର ଗୃହିଣୀ ସୀମା ଦତ୍ତ ଚାଟାର୍ଜୀ ନ୍ୟୁଜିଲାଣ୍ଡ ଅକଲ୍ୟାଣ୍ଡରେ ଚାଲିଥିବା କମନୱେଲଥ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେଥିରେ ସେ ନିଜର ସାମର୍ଥ୍ୟ ଓ ପରିଶ୍ରମ ବଳରେ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ୬ଟି ସ୍ବର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇପାରିଛନ୍ତି । ତାଙ୍କର ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟିଛି । ଏନେଇ ସୀମା କହିଛନ୍ତି ଯେ ପ୍ରଶଂସକ ହିଁ ତାଙ୍କର ଅସଲି ପ୍ରେରଣା ।
ତେବେ ଏହି ସଫଳତା ପରେ ସୀମା ଦତ୍ତ ଚାଟାର୍ଜୀ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି, " ଏହି ସଫଳତା ପଛରେ ମୋର ଶୁଭକାଂକ୍ଷୀଙ୍କ ହାତ ରହିଛି । ଦୁର୍ଗାପୁରବାସୀ ମୋତେ ଗୃହିଣୀରୁ ଚମ୍ପିଆନ ହେବା ପାଇଁ ପ୍ରେରଣା ଦେଇଥିଲେ । ଏହା ପରେ ପ୍ରତିଯୋଗିତାରେ ବିଜୟ ହାସଲ ପାଇଁ ମୋ ପାଇଁ ପ୍ରାର୍ଥନା କରିଥିଲେ । ଯାହା ପାଇଁ ଆଜି ମୁଁ ବିଦେଶ ମାଟିରେ ଏହି ସଫଳତା ହାସଲ କରିପାରିଛି । ଏହି ବିଜୟ କେବଳ ମୋର ନୁହେଁ ଏହା ମୋର ସମସ୍ତ ପ୍ରଶଂସକଙ୍କର ବିଜୟ । ଏହି ସଫଳତା ଦୁର୍ଗାପୁରର ସମସ୍ତ ଲୋକଙ୍କର, ରାଜ୍ୟର ସମସ୍ତ ଲୋକଙ୍କର ଏବଂ ଦେଶର ସମସ୍ତ ଲୋକଙ୍କର ।"