ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ଆଥଲେଟଙ୍କ ସହ ଜୁଲାଇ 13ରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିବେ । ମେଗା କ୍ରୀଡା ଇଭେଣ୍ଟରେ ଅଂଶଗ୍ରହଣ ପୂର୍ବରୁ ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ଉତ୍ସାହ ବଢାଇବେ । ଏନେଇ PMO ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ନିକଟରେ ମୋଦି ଟୋକିଓ-2020ରେ ଭାରତୀୟ ଖେଳାଳିଙ୍କୁ ମିଳିବାକୁ ଥିବା ସମସ୍ତ ସୁବିଧାର ସମୀକ୍ଷା କରିଥିଲେ ।
ମନ୍ କି ବାତ୍ କାର୍ଯ୍ୟକ୍ରମରେ କିଛି ଖେଳାଳିଙ୍କୁ ପ୍ରେରଣାଦାୟୀ ଯାତ୍ରା ନେଇ ମଧ୍ୟ ଆଲୋଚନା କରିଥିଲେ । ଏହାବ୍ୟତୀତ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ସମସ୍ତ ଦେଶବାସୀଙ୍କୁ ଅପିଲ କରିଥିଲେ । ଦେଶରୁ ମୋଟ 126ଜଣ ଆଥଲେଟ 18ଟି ଖେଳରେ ଅଂଶଗ୍ରହଣ କରିବେ । ଏହା ଏଯାବତ ଅଲମ୍ପିକକୁ ଭାରତ ପଠାଇଥିବା ସମସ୍ତ ଟିମ ଠାରୁ ବଡ ଟିମ ।
ଭାରତୀୟ ଅଲମ୍ପିକ ଟିମ୍ରେ ଏପରି ଖେଳାଳି ଅଛନ୍ତି, ଯେଉଁମାନେ ବିଶ୍ବ କ୍ରୀଡାର ମହାକୁମ୍ଭରେ ଡେବ୍ୟୁ କରିବେ । ଫେନ୍ସିଂରେ ଭବାନୀ ଦେବୀ ପ୍ରଥମ ଭାରତୀୟ ଭାବେ ଅଲମ୍ପିକରେ ଅଂଶଗ୍ରହଣ କରିବେ । ନେତ୍ରା କୁମାରନ ପ୍ରଥମ ମହିଳା ସେଲର ଭାବେ ଭାରତରୁ ଟୋକିଓ ଟିକେଟ ହାସଲ କରିଛନ୍ତି । ସାଜନ ପ୍ରକାଶ ଓ ଶ୍ରୀହରି ନଟରାଜ ପ୍ରଥମ ଭାରତୀୟ ସନ୍ତରଣକାରୀ ଖେଳାଳି ଭାବେ ମଧ୍ୟ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ