ଭୁବନେଶ୍ବର: ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଓଡିଆ ପୁଅ ସୁଶାନ୍ତ ସାହୁଙ୍କୁ କମାଲ । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଓଡିଶାର ସୁଶାନ୍ତ ସାହୁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅନ୍ତଃରାଜ୍ୟ ବରିଷ୍ଠ ପୁରୁଷ 67 କେଜି ବର୍ଗରେ ଭାଗ ନେଇ ଏହି ସଫଳତା ପାଇଛନ୍ତି ।
ସୁଶାନ୍ତ ସ୍ନାଚରେ117 କେଜି ଏବଂ କ୍ଲିନ ଆଣ୍ଡ ଜର୍କରେ 151 କେଜି ସହ ମୋଟ 268 କେଜି ଉତ୍ତୋଳନ କରି ତୃତୀୟ ସ୍ଥାନରେ ରହିଥିଲେ । ଏହି ବର୍ଗରେ ଅରୁଣାଚଳ ପ୍ରଦେଶର ମାର୍କିଓ ତାରିଓ ମୋଟ 282 କେଜି ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଛତିଶଗଡ଼ର ସୁଭାଷ ଲହରେ ମୋଟ 270 କେଜି ଉତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ବରିଷ୍ଠ ପୁରୁଷ 67 କେଜି ବର୍ଗରେ ଆରଏସପିବି ମଞ୍ଜୁନାଥ ମରଟି ମୋଟ 284 କେଜି ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ଅରୁଣାଚଳପ୍ରଦେଶର ମାର୍କିଓ ତାରିଓ ମୋଟ 282 କେଜି କେଜି ଉତ୍ତୋଳନ କରି ରୌପ୍ୟ ପଦକ ଏବଂ ଆରଏସପିବିର କେ. ନୀଳମ ରାଜୁ 277କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ୟୁଥ 67 କେଜି ପୁରୁଷ ବର୍ଗରେ ତାମିଲନାଡୁର ଏସ. ଲୋଗେଶ୍ବରନ ମୋଟ 254 କେଜି ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ମିଜୋରାମର ଏମଏଚ. ସିଲବନ ବେଈହରୋଥାତଲୋ ମୋଟ 251କେଜି ଉତ୍ତୋଳନ କରି ରୌପ୍ୟ ପଦକ ଏବଂ ଅରୁଣାଚଳ ପ୍ରଦେଶର ଫଙ୍ଗିଆ ତାନି ମୋଟ 248 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଜୁନିୟର 67 କେଜି ପୁରୁଷ ବର୍ଗରେ ମିଜୋରାମର ଲାଲନୁଥାର ମୋଟ 269 କେଜି ଉଠାଇ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ମହାରାଷ୍ଟ୍ରର ତେଜସ ଜୋନଢାଲେ ମୋଟ 268 କେଜି ସହ ରୌପ୍ୟ ଏବଂ ମିଜୋରାମର ଜାକୋବ ଭାନଲାଲ୍ଟଆଙ୍ଗା ମୋଟ 257 କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ