ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ଲକ୍ଷ୍ୟ କେବଳ ମେଡାଲ ବିଜୟ । ଏହା କହିଛନ୍ତି ଭାରତୀୟ ଷ୍ଟାର ମହିଳା ବକ୍ସର ମେରୀ କମ । ତେବେ ଏଥର ଭିନ୍ନ ରଙ୍ଗର ଅର୍ଥାତ ରୌପ୍ୟ କିମ୍ବା ସ୍ବର୍ଣ୍ଣ ପଦକ ଚାହାନ୍ତି ବୋଲି ମେରୀ କମ କହିଛନ୍ତି ।
2012 ଲଣ୍ଡନ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ମେରୀ କମ । ଏଥିସହିତ ବକ୍ସିଂରେ ପ୍ରଥମ ଭାରତୀୟ ମହିଳା ଭାବେ ରେକର୍ଡ କରିଥିଲେ ।
2012 ଅଲମ୍ପିକ୍ସ ପ୍ରସ୍ତୁତି ସମୟରେ ଭାରତୀୟ ପୁରୁଷ ବକ୍ସରଙ୍କ ସହ ଲଢିଥିଲେ ମେରୀ କମ । 48 କିଲୋଗ୍ରାମ ବର୍ଗ ବକ୍ସିଂ ଇଭେଣ୍ଟକୁ ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ(AIBA) ବନ୍ଦ କରିଥିଲା । ପରେ 51 କିଲୋଗ୍ରାମ ବର୍ଗରେ 2010 ଏସିଆନ ଗେମ୍ସରେ ଲଢି ବ୍ରୋଞ୍ଜ ପଦକ ହାସଲ କରିଥିଲେ ମେରୀକମ । ପରେ ଲଣ୍ଡନ ଅଲମ୍ପିକ୍ସରେ ମଧ୍ୟ 51 କିଲୋଗ୍ରାମ ବର୍ଗରେ ଲଢି ସଫଳତା ପାଇଥିଲେ ।
6 ଥରର ବିଶ୍ବ ଚମ୍ପିଆନ ଟାଇଟେଲ ବିଜେତା ମେରୀ କମ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛିନ୍ତି । ଅମାନ, ଜର୍ଡାନରେ ହୋଇଥିବା ଏସିଆନ କ୍ବାଲିଫାୟରରେ ଟୋକିଓ ଟିକେଟ ହାତେଇଛନ୍ତି ମେରୀ । 2020 ଜୁଲାଇ 24ରେ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ 2021କୁ ଘୁଞ୍ଚାଇ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ