ଟୋକିଓ: ସୁରକ୍ଷିତ ଭାବରେ ଟୋକିଓ ଅଲମ୍ପିକ୍ ଗେମ୍ସ ଶେଷ ହେବା ନେଇ ସଭିଙ୍କୁ ଧନ୍ୟବାଦ ଦେଇଛନ୍ତି ଜାପାନ ପ୍ରଧାନ ମନ୍ତ୍ରୀ ୟୋଶିହିଦେ ସୁଗା । କୋରୋନା ମହାମାରୀ ଯୋଗୁଁ ଟୋକିଓ ଅଲମ୍ପିକ୍ ଗେମ୍ସ ୨୦୨୦କୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିଲା । ତେବେ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଟୋକିଓ ଅଲମ୍ପିକ ଗେମ୍ସ ଆୟୋଜନ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ କେତେକ କ୍ରୀଡ଼ାବିତ କୋଭିଡ ସଂକ୍ରମିତ ମଧ୍ୟ ହୋଇଥିଲା । ଏହାପରେ ଏହି କ୍ରୀଡ଼ା ମହାକୁମ୍ଭରେ ଭାଗ ନେଇଥିବା ପ୍ରତ୍ୟେକ କ୍ରୀଡ଼ାବିତ ବାୟୋବବଲ ନିୟମ ମାନିଥିଲେ । ଏଥିପାଇଁ ଅଲମ୍ପିକ ଗେମ୍ସ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ।
୧୭ ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ମହାକୁମ୍ଭରେ ଅଧିକାଂଶ ଇଭେଣ୍ଟ ବିନା ଦର୍ଶକରେ ଆୟୋଜିତ ହୋଇଥିଲା । ଏହି ସମୟରେ ସମସ୍ତ ଆଥଲେଟ ଆଇସୋଲେସନରେ ରହିବା ସହ ବାୟୋ ବବଲ ନିୟମ ମାନିଥିଲେ । ଏହାସହ ଇଭେଣ୍ଟ ଶେଷ ହେବା କ୍ଷଣି ପ୍ରତ୍ୟେକ ଆଥଲେଟ ମାସ୍କ ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା । ଏହସହ ଯେଉଁମାନଙ୍କ ଇଭେଣ୍ଟ ଶେଷ ହେଉଥିଲା ସେମାନେ ବିନା ଦ୍ବିଧାରେ ଜାପାନ ଛାଡ଼ିଥିଲେ । ଏଥିପାଇଁ କ୍ରୀଡ଼ାବିତଙ୍କୁ ଧନ୍ୟବାଦ ଦେଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ।
ଏହାସହ ଟୋକିଓ ଅଲମ୍ପିକ ଗେମ୍ସରେ ଜାପାନ ଆଥଲେଟ୍ ୫୮ଟି ପଦକ ହାସଲ କରିଥିବାରୁ ସେମାନଙ୍କୁ ପ୍ରଶଂସା କରିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା । ନାଗାସାକିରେ ପରମାଣୁ ବୋମା ବିସ୍ଫୋରଣର ୭୬ ବର୍ଷ ପୂର୍ତ୍ତି ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ । କୋରୋନା କାଳରେ ଜାପାନରେ ଅଲମ୍ପିକ ଆୟୋଜନକୁ ନେଇ ୟୋଶିହିଦେ ସୁଗାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ମହାମାରୀ ସମୟରେ ଦେଶରେ ଅଲମ୍ପିକ ଆୟୋଜନ ଚାହୁଁନଥିଲେ ଅଧିକାଂଶ ଦେଶବାସୀ ।
ଜାପାନରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ହଜାର ୭ଶହ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବିଶେଷ କରି କୋରୋନାର ଡେଲଟା ପ୍ଲସ ଭାରିଆଣ୍ଟରେ ଅଧିକ ସଂକ୍ରମିତ ହେଉଥିବା ପରିଲକ୍ଷିତ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ