ମୁମ୍ବାଇ: ଟୋକିଓ ଅଲମ୍ପିକ୍ସ ଖେଳିବାକୁ ଥିବା ଭାରତୀୟ ତୀରନ୍ଦାଜ ଦଳ ଦ୍ବିତୀୟ ଡୋଜ କୋରୋନା ଟିକା ନେଇଛି। ଏହାସହ ଦେଶରେ ପ୍ରଥମ ସମ୍ପୂର୍ଣ୍ଣ ଟୀକାକୃତ ହୋଇଥିବା କ୍ରୀଡ଼ାବିତ ହୋଇଛନ୍ତି ଭାରତୀୟ ତୀରନ୍ଦାଜ ଦଳ। ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟରେ ଅଲମ୍ପିକ୍ସ ଖେଳିବାକୁ ଥିବା ଭାରତୀୟ ତୀରନ୍ଦାଜ ଦଳକୁ କୋଭିଡ ଭ୍ୟାକ୍ସିନର ଦ୍ବତୀୟ ଡୋଜ ଦିଆଯାଇଛି।
ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟରେ କୋଭିଡ ଟୀକାକରଣ ପାଇଁ ଜାତୀୟ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ବରିଷ୍ଠ ତୀରନ୍ଦାଜ ଖେଳାଳି, କୋଚ ଓ ସପୋର୍ଟ ଷ୍ଟାଫଙ୍କୁ ଦ୍ବିତୀୟ ଡୋଜ ନେଇଥିଲେ। ଏଥିରେ ପୁରୁଷ ଓ ମହିଳା ବିଭାଗରେ 8ଜଣ ତୀରନ୍ଦାଜ କ୍ରୀଡ଼ାବିତ ସାମିଲ ଥିଲେ। ପୁରୁଷ ବିଭାଗରେ ଅତନୁ ଦାସ, ତରୁଣଦୀପ ରାୟ, ପ୍ରବୀଣ ଯାଦବ ଏବଂ ବି ଧୀରଜ ଟିକା ନେଇଥିବାବେଳେ ମହିଳା ବିଭାଗରେ ଦୀପିକା କୁମାରୀ, ଅଙ୍କିତା ଭକତ, କୋମୋଲିକା ବରୀ ଏବଂ ମଧୁ ବେଦୱାନ ଟିକା ନେଇଥିଲେ।
ବର୍ତ୍ତମାନ ଏପ୍ରିଲ 19 ତାରିଖରେ ଆରମ୍ଭ ହେବାକୁ ଥିବା ବିଶ୍ବକପ ତୀରନ୍ଦାଜର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହେଉଛନ୍ତି ଖେଳାଳି। କୋଭିଡ-19 ଭାଇରସ ସଂକ୍ରମଣ ପରେ ପ୍ରଥମ ଟୁର୍ଣ୍ଣାମେଣ୍ଟ ଖେଳିବେ ତୀରନ୍ଦାଜ ବରିଷ୍ଠ ଖେଳାଳି। ଜୁନ 21ରୁ 27 ତାରିଖରେ ବିଶ୍ବକପ ତୃତୀୟ ପର୍ଯ୍ୟାୟ ଭାରତୀୟ ଦଳ ପାଇଁ ଟୋକିଓ ଅଲମ୍ପିକ୍ସରେ ସ୍ଥାନ ପକ୍କା କରିବାର ଶେଷ ସୁଯୋଗ ହେବ। ବର୍ତ୍ତମାନ ସୁଦ୍ଧା ଟୋକିଓ ଅଲମ୍ପିକ୍ସରେ ଭାଗ ନେବା ପାଇଁ ପୁରୁଷ ବିଭାଗରେ ଏକ ଦଳ ଯୋଗ୍ୟତା ହାସଲ କରିଛି । ସେହିଭଳି ମହିଳା ବିଭାଗରେ ଏକକ ବର୍ଗରେ ଜଣେ ଯୋଗ୍ୟତା ଅର୍ଜନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ