ଭୁବନେଶ୍ବର: ଏଫଆଇଏଚ ପୁରୁଷ ହକି ବିଶ୍ବକପରେ ଭାରତ ତାର ଶେଷ ପୁଲ ମ୍ୟାଚରେ ବିଜୟ ହାସଲ କରିଛି । କଳିଙ୍ଗରେ ଖେଳାଯାଇଥିବା ଅନ୍ତିମ ପୁଲ ମ୍ୟାଚେର ୱେଲ୍ସକୁ 4-2 ଗୋଲରେ ପରାସ୍ତ କରିଛି । ପ୍ରଥମ ମ୍ୟାଚରେ ସ୍ପେନକୁ ହରାଇଥିଲା ଭାରତ । ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ମ୍ୟାଚଟି ଡ୍ର ହୋଇଥିଲା । ତେଣୁ ୱେଲ୍ସ ବିପକ୍ଷରେ ଭାରତକୁ ଏକି ବିରାଟ ବିଜୟ ଦରକାର ହେଉଥିଲା । ଫଳରେ ଭାରତ ସିଧାସଳଖ କ୍ବାର୍ଟର ଫାଇନାଲକୁ ଉତୀର୍ଣ୍ଣ ହୋଇଥାନ୍ତା ମାତ୍ର ତାହା ସମ୍ଭବ ହେଲା ନାହିଁ । ତେଣୁ ଭାରତକୁ କ୍ବାର୍ଟରରେ ପ୍ରବେଶ କରିବାକୁ ହେଲେ ନ୍ୟୁଜିଲାଣ୍ଡ ସହି କ୍ରସ ଓଭର ମ୍ୟାଚ ଖେଳିବାକୁ ହେବ । ଆସନ୍ତା 22 ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରସଓଭର ମ୍ୟାଚ ଖେଳିବ ଭାରତ ।
ଏହା ବି ପଢନ୍ତୁ...Hockey World Cup 2023: ଭାରତର ରୋମାଞ୍ଚକର ବିଜୟ, ୪-୨ ଗୋଲରେ ୱେଲ୍ସ ପରାସ୍ତ
ଭାରତ ପ୍ରଥମ ମ୍ୟାଚରେ ସ୍ପେନକୁ 2-0 ଗୋଲରେ ପରାସ୍ତ କରିଥିଲା । ଦ୍ବିତୀୟ ମ୍ୟାଚ ଇଂଲଣ୍ଡ ସହ ହୋଇଥିଲା ମାତ୍ର ତାହା ଡ୍ର ହୋଇଥିଲା । କଳିଙ୍କରେ ୱେଲ୍ସ ବିପକ୍ଷରେ ଖେଳିଥିବା ଅନ୍ତିମ ପୁଲ ମ୍ୟାଚରେ ଭାରତ 4-2ରେ ବିଜୟ ହାସଲ କରିଛି । ଏହା ପୂର୍ବରୁ ପୁଲ-ଡିର ଆଉ ଏକ ମ୍ୟାଚରେ ଇଂଲଣ୍ଡ ସ୍ପେନକୁ 4-0 ଗୋଲରେ ପରାସ୍ତ କରିଛି । ଫଳରେ ଭାରତ ଓ ଇଂଲଣ୍ଡ 2ଟି ଲେଖାଏଁ ବିଜୟ ଓ ଗୋଟିଏ ଡ୍ର ସହିତ ସମାନ 7 ପଏଣ୍ଟ ଲେଖାଏଁ ସଂଗ୍ରହ କରିଛନ୍ତି । ଭାରତ ଅପେକ୍ଷା ଇଂଲଣ୍ଡ 9 ଗୋଲରେ ଅଧିକ ଥିବାରୁ ପୁଲର ପ୍ରଥମ ସ୍ଥାନରେ ରହିବା ସହ କ୍ବାର୍ଟରକୁ ସିଧାସଳଖ ପ୍ରବେଶ କରିଛି । ଭାରତକୁ କ୍ବାର୍ଟରରେ ପ୍ରବେଶ କରିବାକୁ ହେଲେ ନ୍ୟୁଜିଲାଣ୍ଡ ସହ କ୍ରସଓଭର ଖେଳିବାକୁ ହେବ ।
ଏହା ବି ପଢନ୍ତୁ...Hockey World Cup 2023: ସ୍ପେନକୁ ୪-୦ ଗୋଲରେ ପରାସ୍ତ କଲା ଇଂଲଣ୍ଡ
କ୍ରସ ଓଭର କଣ: ହକି ବିଶ୍ବକପର ଏହା ଏକ ଅଂଶ । ନକଆଉଟ ପର୍ଯ୍ୟାୟରେ ଏହାକୁ ଗ୍ରହଣ କରାଯାଇଥାଏ । ହକି ବିଶ୍ବକପରେ ଅଂଶ ଗ୍ରହଣ କରିଥିବା ସମସ୍ତ ଦଳକୁ 4ଟି ପୁଲରେ ଭାଗ କରାଯାଇଛି । ଗୋଟିଏ ପୁଲରେ 4ଟି ଲେଖାଏଁ ଦଳ ରହିଛନ୍ତି । ପ୍ରତି ଦଳ ପରସ୍ପର ସହ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବେ । ଫର୍ମାଟ ଅନୁଯାୟୀ ପ୍ରତି ପୁଲର ଶୀର୍ଷରେ ଥିବା ଦଳ ସିଧାସଳଖ କ୍ବାର୍ଟରରେ ପ୍ରବେଶ କରିବେ । କ୍ବାର୍ଟରରେ 8ଟି ଦଳ ଖେଳିଥାନ୍ତି । ତେଣୁ 4ଟି ସ୍ଥାନ ପାଇଁ କ୍ରସଓଭର ମ୍ୟାଚ ଖେଳାଯାଏ । ଏନେଇ 8ଟି ଦଳ 4ଟି ମ୍ୟାଚ ଖେଳିବେ ।
ଯେଉଁଥିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର କ୍ରସଓଭର ମ୍ୟାଚ ରହିଛି । ଭାରତ ପୁଲ-ଡି ଓ ନ୍ୟୁଜିଲାଣ୍ଡ ପୁଲ-ସିରେ ରହିଛି । ଅନ୍ୟ ଏକ କ୍ରସଓଭର ମ୍ୟାଚ ପୁଲ-ଏ ଓ ପୁଲ-ବି ମଧ୍ୟ ଖେଳାଯିବ । ଏହି 4ଟି ମ୍ୟାଚରେ ବିଜେତା ଦଳ ପୂର୍ବରୁ ପୁଲରେ ପ୍ରଥମ ସ୍ଥାନ ହାସଲ କରିଥିବା ଦଳ ସହ କ୍ବାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ । କ୍ରସଓଭରରୁ ନକଆଉଟ ପର୍ଯ୍ୟାୟ ଆରମ୍ଭ ହେବ ।
କଳିଙ୍ଗ ଷ୍ଟାଡିୟମରେ ସମସ୍ତ ନକଆଉଟ ମ୍ୟାଚ ଖେଳାଯିବ । ଜାନୁଆରୀ 22 ଓ 23ରେ କ୍ରସ ଓଭର, 24 ଓ 25ରେ କ୍ବାର୍ଟର ଫାଇନାଲ, 27ରେ ଦୁଇଟି ସେମି ଫାଇନାଲ ଓ 29ରେ ତୃତୀୟ ସ୍ଥାନ ଓ ଫାଇନାଲ ମ୍ୟାଚ ଖେଳାଯିବ ।
ଇଟିଭି ଭାରତ, ଭୁବନେଶ୍ବର