ହାଇଦ୍ରାବାଦ: ଭାରତୀୟ ଷ୍ଟାର ଧାବିକା ହିମା ଦାସ ବର୍ତ୍ତମାନ ପଟିଆଲାର ନେତାଜୀ ସୁବାଷ ନ୍ୟାସନାଲ ସ୍ପୋର୍ଟ୍ସ ଇଷ୍ଟିଚ୍ୟୁଟରେ ଟ୍ରେନିଂ ନେଉଛନ୍ତି । ତେବେ ଇନଷ୍ଟିଚ୍ୟୁଟ ବିରୁଦ୍ଧରେ ଖାଦ୍ୟର ମାନକୁ ନେଇ ହିମା ଅଭିଯୋଗ କରିଛନ୍ତି । ହିମାଙ୍କ ସହ ଇନଷ୍ଟିଚ୍ୟୁଟରେ ଟ୍ରେନିଂ ନେଉଥିବା ଅନେକ ଆଥଲେଟ ମଧ୍ୟ ଏହି ଅଭିଯୋଗକୁ ସମର୍ଥନ କରିଛନ୍ତି । ଖେଳାଳି ମାନେ ଖାଦ୍ୟ ପ୍ରସ୍ତୁତ ହେଉଥିବା ଅସ୍ବଚ୍ଛ ପରିବେଶରେ ରୋଷଘରକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି ।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI) ଏକ 'ଖାଦ୍ୟ ଯାଞ୍ଚ କମିଟି' ଗଠନ କରିଛନ୍ତି । ଖେଳାଳିଙ୍କ ଆବଶ୍ୟକ ମୁତାବକ ଖାଦ୍ୟର ମାନ ପ୍ରସ୍ତୁତ କରିବାକୁ ସାଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଏକ ଛାପା ଗଣମାଧ୍ଯମରେ ପ୍ରକାଶିତ ସୂଚନା ଅନୁଯାୟୀ, ହିମାଙ୍କ ଖାଦ୍ୟରୁ ଏକ ମଣିଷ ନଖ ବାହାରିଥିଲା । ଏହାପରେ ହିମା ଖାଦ୍ୟର ଫଟୋ ଉଠାଇ NIS କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ । କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁଙ୍କୁ ମଧ୍ୟ ଘଟଣା ନେଇ ଅବଗତ କରାଇଥିଲେ ହିମା । ପରେ ରିଜିଜୁ ଯେତେଶୀଘ୍ର ସମ୍ଭବ ହିମାଙ୍କ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାଇ ସାଧାରଣ ନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ, ସମ୍ପାଦକ ରୋହିତ ଭରଦ୍ବାଜ ଓ ଅନ୍ୟ ଅଧିକାରୀ ଘଟଣାରେ ହିମା ଓ ଅନ୍ୟ ଖେଳାଳିଙ୍କ ସହ ଏକନେଇ ଏକ ରିଭ୍ୟୁ ବୈଠକ କରିଛନ୍ତି । ବୈଠକରେ ଖାଦ୍ୟର ମାନ ନେଇ କିଛି ଖେଳାଳି ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ