ହାଇଦ୍ରାବାଦ: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଥିଲେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା । ୮୭.୫୮ ମିଟର ବର୍ଚ୍ଛା ଫିଙ୍ଗି ୧୦୦ ବର୍ଷ ପରେ ଆଥଲେଟିକ୍ସରେ ଆଣିଥିଲେ ସ୍ବର୍ଣ୍ଣ ପଦକ । ସାରା ଭାରତକୁ କରିଥିଲେ ଗୌରବାନ୍ବିତ । ଟୋକିଓ ଅଲିମ୍ପିକ ୨୦୨୦ର ଶେଷ ଦିନରେ ଅଲମ୍ପିକ ଇତିହାସରେ ନିଜ ନାଁ ସ୍ବର୍ଣ୍ଣ ଅକ୍ଷରରେ ଲେଖିଥିଲେ ହରିୟାଣାର ସୁନା ପୁଅ ନୀରଜ । ଏହା ପରେ ତାଙ୍କୁ କିଏ ଗୋଲ୍ଡ ମ୍ୟାନ ତ ଆଉ ପୁଣି ଚମ୍ପିଆନ ବୋଲି ନାମ ଦେଇଥିଲେ । ଆଜି ନୀରଜଙ୍କ ଜନ୍ମଦିନ (Happy Birthday Neeraj Chopra) । 1997ରେ ଜନ୍ମ ହୋଇଥିଲେ ନୀରଜ । ୨୪ ବର୍ଷରେ ପାଦ ଥାପିଛନ୍ତି ନୀରଜ ।
ହରିୟାଣା ସୋନିପତର ନୀରଜ ଚୋପ୍ରାଙ୍କ ଜନ୍ମ ୨୪ ଡିସେମ୍ବର ୧୯୯୭ରେ ଏକ ଚାଷୀ ପରିବାରରେ ହୋଇଥିଲା । ଚଣ୍ଡୀଗଡ଼ର ଡିଏଭି କଲେଜରୁ ପାସ୍ କରିଥିବା ନୀରଜଙ୍କ ଆଥଲେଟିକ୍ସରେ ଆସିବାର କାହାଣୀ ମଧ୍ୟ ଖୁବ୍ ରୋମାଞ୍ଚକର । ନିଜ ଓଜନ କମ୍ କରିବା ପାଇଁ ଏହି ଫିଲ୍ଡକୁ ଆସିଥିଲେ ସେ । କିନ୍ତୁ କିଏ ଜାଣିଥିଲା ଏହିଥିରେ ହିଁ ସେ ଇତିହାସ ରଚିବେ ।
ଜର୍ମାନୀର ବାୟୋ ମେକାନିକ୍ସ ଏକ୍ସପର୍ଟ କ୍ଲାଉସ ବାର୍ତୋନିତ୍ଜଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ । ଆଉ ଦେଶର ଏକ ପରିଚିତ ଚେହେରା ବନିଥିଲେ । ନୀରଜ ଦ୍ବିତୀୟ ଭାରତୀୟ ଭାବେ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ୨୦୧୮ କମୱେଲଥ ଗେମସରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ । IAAF World ଅଣ୍ଡର-୧୯ରେ ମଧ୍ୟ ସେ ନିଜର ଏକ ପରିଚୟ ସୃଷ୍ଟି କରିଥିଲେ ।
ନୀରଜଙ୍କ ସଫଳତା...
- ୨୦୧୬: ପୋଲାଣ୍ଡରେ ହୋଇଥିବା ଆଇଏଏଫଏଫ ଚମ୍ପିଆନସିପରେ ୮୬.୪୮ ମିଟର ବର୍ଚ୍ଛା (Javelin) ଫିଙ୍ଗି ସ୍ବର୍ଣ୍ଣ ଜିତିଲେ ।
- ୨୦୧୭: ନୀରଜ ୮୫.୨୩ ମିଟର ଫିଙ୍ଗି ଏସିଆନ ଆଥଲେଟିକ୍ସ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ଜିତିଲେ ।
- ୨୦୧୮: ଏସିଆଡରେ ୮୮.୦୭ ମିଟର ଫିଙ୍ଗି ଜିତିଥିଲେ ସ୍ବର୍ଣ୍ଣ ।
- ୨୦୧୯: ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସରେ ନୀରଜ ନିଜର ହିଁ ରେକର୍ଡ ଭାଙ୍ଗି ୮୮.୦୭ ମିଟର ବର୍ଚ୍ଛା ଫିଙ୍ଗି ନିଜ ରେକର୍ଡ ଭାଙ୍ଗିଥିଲେ ।
- ୨୦୨୧: ଆଉ ଶେଷରେ ଶନିବାର ନୀରଜ ଲେଖିଛନ୍ତି ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ଅଲମ୍ପିକ୍ସରେ ୧୨୦ ବର୍ଷ ପରେ ଜିତିଛନ୍ତି ସ୍ବର୍ଣ୍ଣ ପଦକ ।
ଅଲମ୍ପିକ ପାଇଁ ନିଜକୁ ଫୁଲ ପ୍ରସ୍ତୁତ କରିଥିଲେ ନୀରଜ । ଟୋକିଓରେ ଭାରତର ଟେକ ରଖିବା ନେଇ ପରିବାର ଲୋକେ ତାଙ୍କ ପ୍ରଦର୍ଶନ ଉପରେ ଭରସା ରଖିଥିଲେ । ଆଉ ନୀରଜ ନିଜ ପରିବାର ସହ ୧୩୦ କୋଟି ଭାରତୀୟଙ୍କ ଆଶା ଓ ବିଶ୍ବାସକୁ ସତ୍ୟରେ ପରିଣତ କରିଥିଲେ । ନୀରଜ ଅଗଷ୍ଟ ୭ରେ ଜାଭେଲିନ ଥ୍ରୋରେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଥିବାରୁ ସେହି ଦିନକୁ ଜାଭେଲିନ ଥ୍ରୋ ଦିବସ ଭାବରେ ପାଳନ ହେବାକୁ ଘୋଷଣା ହୋଇଥିଲା । ଆଜି ତାଙ୍କ ଜନ୍ମ ଦିନରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଆଗକୁ ଆହୁରି ଆଗକୁ ଯାଆନ୍ତୁ ଦେଶର ନାମ ରଖନ୍ତୁ ଇଟିଭି ଭାରତ ପକ୍ଷରୁ ନୀରଜଙ୍କୁ ଅନେକ ଅନେକ ଶୁଭେଚ୍ଛା ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ