ହାଇଦ୍ରାବାଦ: ସେ ହାରିଲେ, ସେ ଉଠିଲେ ଆଉ ସେ ବିଜୟୀ ହେଲେ । ହଁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଚଳିତ ଟୋକିଓ ଅଲମ୍ପିକରେ ଭାରତ ପାଇଁ ପ୍ରଥମ ପଦକ ଜିତାଇଥିବା ମୀରାବାଇ ଚାନୁ । ୪୯ କିଗ୍ରା ମହିଳା ଭାରୋତ୍ତୋଳନରେ ମୀରା ଜିତିଛନ୍ତି ରୌପ୍ୟ ପଦକ ।
୫ ବର୍ଷ ପୂର୍ବେ ରିଓ ଅଲମ୍ପିକରେ ଠିକ ଭାବେ ଭାରକୁ ଉଠାଇ ନପାରିବା ଠୁ ରୌପ୍ୟ ପଦକ ଜିତିବା ପର୍ଯ୍ୟନ୍ତ ମୀରାବାଇଙ୍କ କାହଣୀ ଖୁବ୍ ପ୍ରେରଣାଦାୟୀ । ଏହି କାହଣୀକୁ ଅନେକ ପିଢ଼ି ପର୍ଯ୍ୟନ୍ତ କୋଚ ମାନେ ଯୁବ ଖେଳାଳିଙ୍କୁ କହିବେ ଯାହାଦ୍ବାରା ସେମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି ହେବ ।
ତେବେ ଆସନ୍ତୁ ଭାରତକୁ ବିଶ୍ବ ମଞ୍ଚରେ ଗୌରବାନ୍ବିତ କରିଥିବା ଭାରତର ସୁନାଝିଅ ମୀରାବାଇ ଚାନୁଙ୍କ କାହାଣୀ ଜାଣିବା ତାଙ୍କ ମୁହଁରୁ ।
ମଣିପୁରର ଷ୍ଟାର ଭାରୋତ୍ତଳକ ମୀରାବାଇ ଇଟିଭି ଭାରତକୁ ଫୋନ ଯୋଗେ ସାକ୍ଷାତକାର ଦେଇ କହିଛନ୍ତି, ‘‘ରିଓ ଅଲମ୍ପିକରେ ହାରିବା ପରେ ମୁଁ ଭାଙ୍ଗି ପଡ଼ିଥିଲେ, କିଛି ଦିନ ପର୍ଯ୍ୟନ୍ତ ଖାଇବା ଛାଡ଼ି ଦେଇଥିଲି । ଏତେ ସବୁ ପରିଶ୍ରମ ପରେ ବି କ’ଣ ହୋଇଥିଲା ମୁଁ ବୁଝିପାରୁନଥିଲି । ମୁଁ ସେଦିନ ନିଜକୁ ପ୍ରତିଶ୍ରୁତି ଦେଲି ଯେ ଆଗାମୀ ସମସ୍ତ ପ୍ରତିଯୋଗିତାରେ କଠିନ ପରିଶ୍ରମ କରିବି । ମୁଁ ନିଜ ଉପରେ ବିଶ୍ବାସ ରଖିଥିଲେ ଯେ ମୁଁ ନିଶ୍ଚୟ କରିପାରିବି ।’’
ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଇଚ୍ଛାଶକ୍ତି ଓ ପରିଶ୍ରମ ମୀରାବାଇଙ୍କୁ ପ୍ରଥମ ବିଜୟ ଦେଲା ବିଶ୍ବ ଚାମ୍ପିୟନଶିପରେ, ଆଉ ତାପରେ ଟୋକିଓ ଅଲମ୍ପିକର ରୌପ୍ୟ ପଦକ ଜିତାଇ ଚାନୁ ସଭିଙ୍କୁ ଜଣାଇଦେଲେ ଯେ ଚେଷ୍ଟା ଓ ପରିଶ୍ରମ କଲେ ବିଜୟ ସୁନିଶ୍ଚିତ ।
ମୀରାବାଇଙ୍କ ସହ ପ୍ରଶ୍ନୋତ୍ତର
ପ୍ରଶ୍ନ: ଭାରତ ପାଇଁ ରୌପ୍ୟ ପଦକ ଜିତିବା ପରେ କେମିତି ଲାଗୁଛି ?
ଉତ୍ତର: ଏହା ଏକ ଅଦ୍ଭୁତ ଅନୁଭବ । ଯାହାକୁ ଶବ୍ଦରେ ପରିପ୍ରକାଶ କରିହେବ ନାହିଁ । ଭାରତ ଫେରିବା ପରେ ମତେ ଅଜସ୍ର ସ୍ନେହ ଓ ଭଲପାଇବା ମିଳିଛି । ମୁଁ ଏଠାରେ ପହଁଞ୍ଚିବା ପରେ ବିମାନ ବନ୍ଦରରୁ ମତେ ଅନେକ ସ୍ବାଗତ ସମ୍ବର୍ଦ୍ଧନା ଦିଆଗଲା, ମୁଁ ଏନେଇ ବହୁତ ବହୁତ ଖୁସି ।
ପ୍ରଶ୍ନ: ତେବେ ଶେଷରେ କେତୋଟି ପିଜ୍ଜା ଖାଇଲେ ଆପଣ ?
ଉତ୍ତର: (ହସି ଦେଇ) ମୁଁ ଅନେକ ଗୁଡ଼ିଏ ପିଜ୍ଜା ଖାଇଲି । ଭାରତ ଫେରିବା ପରେ କେବଳ ପିଜ୍ଜା ହିଁ ଖାଉଛି । ମୁଁ ଗଣିବା ଭୁଲିଯାଇଛି ।
ପ୍ରଶ୍ନ: ପାଞ୍ଚ ବର୍ଷ ପୂର୍ବେ ରିଓ ଅଲମ୍ପିକରେ ଆପଣ ଠିଖ ରୂପେ ଭାର କୁ ଉଠାଇ ମଧ୍ୟ ପାରିନଥିଲେ । ଆପଣ ନିଜ ସଙ୍ଘର୍ଷ ଜାରି ରଖିଲେ, ତେବେ ଆପଣଙ୍କୁ କେଉଁଠାରୁ ପ୍ରେରଣା ମିଳିଲା ?
ଉତ୍ତର: ରିଓ ଅଲମ୍ପିକ ମୋର ଡେବ୍ୟୁ ଥିଲା ଏବଂ ମୁଁ ପ୍ରସ୍ତୁତିରେ ଅନେକ ପରିଶ୍ରମ କରିଥିଲି । ମୁଁ ରିଓରେ ମଧ୍ୟ ରୌପ୍ୟ ଜିତିବାର ସମ୍ଭାବନା ଥିଲା । ଏମିତିକି ଯାହା ମୁଁ ରିଓରେ ଟ୍ରାଏଲ ବେଳେ ଉଠାଇଥିଲେ ସେତିକି ଯଦି ମୁଖ୍ୟ ଇଭେଣ୍ଟରେ ଉଠାଇ ଥା’ନ୍ତି ମୁଁ ନିଶ୍ଚୟ ରୌପ୍ୟ ପଦକ ଜିତିଥା’ନ୍ତି । ସେ ଯାହାହେଉ ତାହା ମୋର ଦିନ ନଥିଲା । ମୁଁ ଦେଶ ପାଇଁ ପଦକ ଆଣି ପାରିନିଥିବାରୁ ଖୁବ୍ ଦୁଃଖୀ ଥିଲି । ଏତେ ପରିଶ୍ରମ ଓ ପ୍ରଚେଷ୍ଟା ସତ୍ତ୍ବେ କାହିଁକି ଏମିତି ହେଲା ମୁଁ ବୁଝି ପାରିନଥିଲି । ମୁଁ ଭାଙ୍ଗି ପଡ଼ିଥିଲି, କିଛି ଦିନ ପର୍ଯ୍ୟନ୍ତ ଖାଇବା ଛାଡ଼ି ଦେଇଥିଲି । କିନ୍ତୁ ମୋ ପରିବାର ଓ ବିଜୟ ସାର୍ ମୋ ସହିତ ଥିଲେ । ମୋର ମନେ ଅଛି ବିଜୟ ସାର୍ ମତେ କହିଥିଲେ ଯାହା ହେବାର ଥିଲା ହୋଇଗଲା ଏବେ ଆହୁରି ଅନେକ ପ୍ରତିଯୋଗିତା ଅଛି । ସେ ମତେ କହିଥିଲେ ମୋର ବୟସ କମ ମୁଁ ଏହା କରି ପାରିବି । ମୁଁ ସେଦିନ ନିଜକୁ ପ୍ରତିଶ୍ରୁତି ଦେଲି ଯେ ମୁଁ କଠିନ ପରିଶ୍ରମ କରିବି ଓ ଆଗାମୀ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବି । ମୁଁ ଏହା କରି ପାରିବି ବୋଲି ଆତ୍ମ ବିଶ୍ବାସ ରଖିଥିଲି । ମୁଁ ଯେତେବେଳେ ଭାରତ ଫେରିଲି, ମୋ ମା ମୋ ସାଙ୍ଗରେ ରହିଥିଲେ । ସେ ମତେ ଧୈର୍ଯ୍ୟ ଦେଇଥିଲେ । ପରବର୍ତ୍ତୀ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାକୁ ପ୍ରେରିତ କରିଥିଲେ । ବିଜୟ ସାର୍ଙ୍କ ସହ ଆଲୋଚନା ପରେ ମୁଁ ମୋର ଟ୍ରେନିଂ ଆଉ ଟେକନିକ ବଦଳାଇ ଥିଲି । ମୁଁ ଶୀଘ୍ର ରିଓ ଅଲମ୍ପିକର ଦୁଃଖକୁ ଭୁଲି ନିଜ ପାଇଁ ଖୁସି ଅନୁଭବ କରୁଥିଲି । ଯାହାପରେ ମୁଁ ବିଶ୍ବ ଚାମ୍ପିୟନ ହୋଇଥିଲି । ବିଶ୍ବ ଚାମ୍ପିୟନଶିପରେ ମୋର ପ୍ରଦର୍ଶନ ମତେ ଶକ୍ତି ଦେଇଥିଲା ଭଲ ପ୍ରଦର୍ଶନ କରିବା ପାଇଁ ଏବଂ ଏହାପରେ ମୁଁ ଆଉ କେବେ ଆଶା ହାରି ନାହିଁ ।
ପ୍ରଶ୍ନ: ଲକ୍ଡାଉନ ସମୟରେ ଆପଣଙ୍କ ପାଇଁ ସବୁଠାରୁ କଠିନ ସମୟ କେଉଁଟା ଥିଲା ।
ଉତ୍ତର: ମୁଁ ଦୁଇ ମାସ ପର୍ଯ୍ୟନ୍ତ ଟ୍ରେନିଂ କରି ପାରିନଥିଲି । ଭାରୋତ୍ତୋଳନ ଏକ ଏମିତି ଜିନିଷ ଯେଉଁଥିରେ ଆପଣ ଗୋଟିଏ ଦିନ ଯଦି ଟ୍ରେନିଂ ନକରିବେ ଆପଣଙ୍କୁ ପୁଣି ମୂଳରୁ ଆରମ୍ଭ କରିବାକୁ ହୁଏ । ଟ୍ରେନିଂରୁ ଦୂରେଇ ରହିବା ମୋ ପାଇଁ କଠିନ ସମୟ ଥିଲା । ମୋ ଶରୀରରେ ମାଂସପେଶୀ ମଧ୍ୟ କମିଥିଲା । ମୁଁ ସେତେବେଳେ ପଟିଆଲାରେ ଥିଲି ଓ ଟ୍ରେନିଂ ଆରମ୍ଭ କରିବା ପାଇଁ ଅନୁରୋଧ କରିଥିଲି । ମୁଁ କ୍ରୀଡ଼ା ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି ଯେ ଯଦି ମୋର ଟ୍ରେନିଂ ଆରମ୍ଭ ନହୁଏ ତେବେ ଏସିଆନ ଚାମ୍ପିୟନସିପ ଓ ଟୋକିଓ ଅଲମ୍ପିକ୍ସ ପାଇଁ କରିଥିବା ସମସ୍ତ ପରିଶ୍ରମ ବୃଥା ହେବ । ମୁଁ ୨ ମାସ ପରେ ଟ୍ରେନିଂ ଆରମ୍ଭ କଲି କିନ୍ତୁ ମାଂସପେଶୀ ଶକ୍ତ ହୋଇଯାଇଥିବା ଯୋଗୁଁ ମୁଁ ଟ୍ରେନିଂ କରିପାରୁନଥିଲି । ଏହା ଏକ କଠିନ ସମୟ ଥିଲା ।
ପ୍ରଶ୍ନ: ଆପଣ ନିଜ ଘରଠାରୁ ଲମ୍ବା ସମୟର ପର୍ଯ୍ୟନ୍ତ ଦୂରରେ ରହିଥିଲେ । ତେବେ ସବୁଠାରୁ ବଡ଼ ତ୍ୟାଗ ଆପଣ କ’ଣ କରିଛନ୍ତି ସେ ବିଷୟରେ କୁହନ୍ତୁ ?
ଉତ୍ତର: ମୋ ବଡ଼ ଭଉଣୀ ନଭେମ୍ବର ୨୭, ୨୦୧୬ ବିବାହ କଲେ ଯେତେବେଳେ ମୁଁ ବିଶ୍ବ ଚାମ୍ପିୟନ ହୋଇଥିଲି । ନଭେମ୍ବର ମାସରେ ହିଁ ପ୍ରତିଯୋଗିତା ଥିଲା । ବିଶ୍ବ ଚମ୍ପିୟନ ହେବା ପାଇଁ ମତେ ମୋ ଭଉଣୀ ବାହାଘର ମଧ୍ୟ ଛାଡି଼ବାକୁ ପଡ଼ିଥିଲା । ଅନେକ ଗୁଡ଼ିଏ ତ୍ୟାଗ କରିଛି ଯାହା ମଧ୍ୟରୁ ଏହା ହେଉଛି ଗୋଟିଏ । ମୁଁ ମୋ ଖାଦ୍ୟରେ ମଧ୍ୟ ଅନେକ ପରିବର୍ତ୍ତନ କରିଛି ଡାଏଟରେ ରହିବା ପାଇଁ । ମୁଁ ବିଭିନ୍ନ ଭୋଜି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରୁନଥିଲି । ମୁଁ ଫୋନ ମଧ୍ୟ ବ୍ୟବହାର କରିନାହିଁ କାରଣ ମତେ ଭାରତ ପାଇଁ କିଛି କରିବାର ଥିଲା । ମୋର ଧ୍ୟାନ କେବଳ ଟ୍ରେନିଂ ଉପରେ ଥିଲା ।
ପ୍ରଶ୍ନ: ପ୍ୟାରିସ ଅଲମ୍ପିକରେ ପଦକର ରଙ୍ଗ ପରିବର୍ତ୍ତନ କରିବା ପାଇଁ ପ୍ରଚେଷ୍ଟା ରହିବ କି ?
ଉତ୍ତର: ବର୍ତ୍ତମାନ ମୁଁ ରୌପ୍ୟ ପଦକରେ ବେଶ୍ ଖୁସି ଅଛି । 2022 ରେ ରାଷ୍ଟ୍ରମଣ୍ଡଳ ଖେଳ (Commonwealth Games) ଓ ଏସିଆନ ଗେମ୍ସ ରହିଛି । ମୁଁ ସେହି ଖେଳ ମାନଙ୍କରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି, ତାପରେ ନିଶ୍ଚିତ ଭାବେ ମୋର ଲକ୍ଷ୍ୟ ପ୍ୟାରିସ ଅଲମ୍ପିକ୍ ରହିବ ଯେଉଁଠି ମୁଁ ମୋର ରୌପ୍ୟ ପଦକକୁ ସ୍ବର୍ଣ୍ଣରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବି ।
ପ୍ରଶ୍ନ: ବର୍ତ୍ତମାନ କ’ଣ ଯୋଜନା ରହିଛି ?
ଉତ୍ତର: ମୁଁ ବର୍ତ୍ତମାନ ସଭିଙ୍କ ସହ ଖୁସି ମନାଉଛି । ମୁଁ ଅନେକ ଲୋକଙ୍କୁ ବେଟୁଛି । ସେମାନେ ମତେ ଦେଖା କରିବାକୁ ଆସୁଛନ୍ତି ଆଉ ମୁଁ ଅନେକ ସ୍ନେହ ଓ ଭଲପାଇବା ପାଉଛି । ମୁଁ ବର୍ତ୍ତମାନ ସେମାନଙ୍କ ସହ ଖୁସି ମନାଇବି ଓ ଖୁବଶୀଘ୍ର ମୋ ଟ୍ରେନିଂ ଆରମ୍ଭ କରିବି ।
- ଆୟୁଷ୍ମାନ ପାଣ୍ଡେ