ଟୋକିଓ: ଭାରତର ଗୋଲ୍ଫ ଚ୍ୟାଲେଞ୍ଜକୁ ଚଳିତ ଟୋକିଓ ଅଲମ୍ପିକ୍ରେ ଆଉ ଏକ ଶକ୍ତି ମିଳିଛି । ମହିଳା ଗୋଲ୍ଫ ପ୍ରତିଯୋଗିତା ପାଇଁ ଦୀକ୍ଷା ଦାଗରଙ୍କୁ ବିଳମ୍ବରେ ଟୋକିଓ ଟିକେଟ ମିଳିଛି । ଅଗଷ୍ଟ ୫ରୁ ଏହି ପ୍ରତିଯୋଗିତା ଖେଳାଯିବାକୁ ଥିବାବେଳେ ଦୀକ୍ଷା ଖୁବଶ୍ରୀଘ୍ର ଟୋକିଓ ଯାତ୍ରା କରିବାନେଇ ସୂଚନା ରହିଛି ।
ଚଳିତ ମାସ ଆରମ୍ଭରେ ପ୍ରକାଶିତ ଚୁଡାନ୍ତ ତାଲିକାରେ ଦୀକ୍ଷା ରିଜର୍ଭ ଖେଳାଳିଙ୍କ ମଧ୍ୟରେ ରହିଥିଲେ । ତେବେ ଦୀକ୍ଷାଙ୍କୁ ଟୋକିଓ ଟିକେଟ ମିଳିଥିବା ଅନ୍ତର୍ଜାତୀୟ ଗୋଲ୍ଫ ଫେଡରେସନ ପକ୍ଷରୁ ଭାରତୀୟ ଗୋଲ୍ଫ ୟୁନିଅନ(IGU)ଙ୍କୁ ସୂଚନା ମିଳିଛି । ଏହାପରେ ସଂଘ ଦୀକ୍ଷାଙ୍କ ଟୋକିଓ ଯାତ୍ରା ବ୍ୟବସ୍ଥା କରିବାରେ ଲାଗିଯାଇଛି ।
ଭାରତୀୟ ଗୋଲ୍ଫ ଟିମରେ ସେ ଅଦିତି ଅଶୋକଙ୍କ ସହ ସାମିଲ ହେବେ । ଦୀକ୍ଷାଙ୍କ ଏହା ପ୍ରଥମ ଅଲମ୍ପିକ ପଦାର୍ପଣ ହେବାକୁ ଥିବାବେଳେ, ଅଦିତିଙ୍କ ଏହା ଦ୍ବିତୀୟ ଅଲମ୍ପିକ ଅଂଶଗ୍ରହଣ । ଦକ୍ଷିଣ ଆଫ୍ରିକାର ପାଉଲୋ ରେଟୋ ଅଲମ୍ପିକ ପ୍ରତିଯୋଗିତାରୁ ଓହରିଯିବା ନିଷ୍ପତ୍ତି ପରେ ଦୀକ୍ଷାଙ୍କୁ ସୁଯୋଗ ମିଳିଛି ।
୨୦୧୮ ଏସିଆନ ଗେମ୍ସରେ ଦୀକ୍ଷା ଭାରତର ପ୍ରତିନିଧିତ୍ବ କରିଥିଲେ ଓ ୨୦୧୯ରେ ପେଷାଦାର ଭାବେ ଦୁଇଟି ଟାଇଟେଲ ଲେଡିଜ୍ ୟୁରୋପିଅନ ଟୁର୍ରେ ହାସଲ କରିଛନ୍ତି । ଏଥିରେ ଗୋଟିଏ ଟିମ ଇଭେଣ୍ଟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ