ଭୁବନେଶ୍ବର: ଓଡିଶା ସାମରିକ କ୍ରୀଡ଼ାର ସଫଳ କ୍ରୀଡ଼ାବିତ ଅନୁପମା ସ୍ବାଇଁଙ୍କୁ ମୁକୁନ୍ଦ ବରାଳ ସ୍ମାରକ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉତ୍ସବରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ବାଇଁକୁ ଉପଢୌକନ, ମାନପତ୍ର ସହ 25 ହଜାର ଟଙ୍କାର ଅର୍ଥରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।
ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ରାଜ୍ୟ ତଥା ଦେଶକୁ ଗୌରବାନ୍ବିତ କରିଛନ୍ତି ଓଡିଶା ସାମରିକ କ୍ରୀଡ଼ାର ସଫଳ କ୍ରୀଡ଼ାବିତ ଅନୁପମା ସ୍ବାଇଁ । ନିକଟରେ ଦକ୍ଷିଣ କୋରିଆରେ ଅନୁଷ୍ଠିତ ସାମରିକ କ୍ରୀଡ଼ାର ମହାକୁମ୍ଭ ବିଶ୍ବ ମାର୍ଶାଲ ଆର୍ଟ ମାଷ୍ଟରସିପରେ ଜୁଜୁଟୁସର ଫୁଲ କଣ୍ଟାକ୍ଟରେ ଏକମାତ୍ର ଭାରତୀୟ ଭାବେ ବ୍ରୋଞ୍ଜ ମେଡାଲ ଜିତି ଓଡିଶା ସାମରିକ କ୍ରୀଡାରେ ଇତିହାସ ସୃଷ୍ଟି କରିଛନ୍ତି ।
ତେବେ ସମ୍ବର୍ଦ୍ଧନା ଉତ୍ସବ ଅବସରରେ ଅନୁପମାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହିତ ଭବିଷ୍ୟତରେ ଆହୁରି ସଫଳତା ହାସଲ ପାଇଁ ଶୁଭକାମନା ଜଣାଇଛନ୍ତି କ୍ରୀଡାମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ପୀୟୂଷ ମହାନ୍ତି, ଅନୁପମାଙ୍କ ଗୁରୁ ହରିପ୍ରସାଦ ପଟ୍ଟନାୟକ, ଡ଼ଃ ବଦ୍ରିନାଥ ପଟ୍ଟନାୟକ, ମହବୋଧୀ ସୋସାଇଟିର ସମ୍ପାଦକ ଡ଼ ସୌରୀନ୍ଦ୍ର ମହାପାତ୍ର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ