ଯାଜପୁର: ଉଦଯାପିତ ହୋଇଯାଇଛି 64ତମ 'ସର୍ବଭାରତୀୟ ଏ ଗ୍ରେଡ କବାଡି ପ୍ରତିଯୋଗିତା' । ଜିଲ୍ଲା କବାଡି ଆସୋସିଏସନ ପକ୍ଷରୁ ଖଣ୍ଡିତର ମିନିଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତାରେ ଫାଇନାଲ ମ୍ୟାଚଟି ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଏଥିରେ ଗୁଜୁରାଟର ଇନକମଟ୍ୟାକ୍ସକୁ ହରାଇ ଆଦର୍ଶ ଟିମ୍, ନୂଆଦିଲ୍ଲୀ ଚାମ୍ପିଆନ ଆଖ୍ୟା ଅର୍ଜ୍ଜନ କରିଛି । ସେହିପରି ମହିଳା ବିଭାଗରେ ଓଡିଶା ପୋଲିସକୁ ପରାସ୍ତ କରି କଟକ ମହିଳା ଦଳ ଚାମ୍ପିଅନ ହୋଇଥିଲା ।
ତେବେ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତ ବେହେରା ଓ ଧର୍ମଶାଳା ବିଧାୟକ ତଥା ରାଜ୍ୟ ସରକାରଙ୍କ ଉପମୁଖ୍ୟ ସଚେତକ ପ୍ରଣବ ବଳବନ୍ତରାୟ ଯୋଗ ଦେଇ ଉଭୟ ଚାମ୍ପିଅନ ଓ ରନର୍ସ ଅପ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ଆୟୋଜକ ଯାଜପୁର କବାଡି ଆସୋସିଏସନ ପକ୍ଷରୁ ପୁରୁଷ ଚାମ୍ପିଅନ ଦଳକୁ ନଗଦ 1 ଲକ୍ଷ ଏବଂ ରନର୍ସ ଅପ ଦଳକୁ 50 ହଜାର ଟଙ୍କା ପ୍ରଦାନ କରାଯାଇଛି । ସେହିପରି ମହିଳା ଚମ୍ପିଆନ ଦଳକୁ 15 ହଜାର ଓ ରନର୍ସ ଦଳକୁ 10 ହଜାର ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଛି । ଉଦଯାପନୀ ଉତ୍ସବରେ ଉଭୟ ଚାମ୍ପିଅନ ଓ ରନର୍ସ ଅପ ଦଳ ସମେତ ଶ୍ରେଷ୍ଠ ଖେଳାଳି ଓ ପ୍ରୋ କବାଡି ଖେଳାଳିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ