ଭୁବନେଶ୍ବର: ଦୌଡରାଣୀ ଦୂତି ଚାନ୍ଦ ଏବେ ପୁଣି ଚର୍ଚ୍ଚାରେ । ଏଥର ନିଜର ପ୍ରଦର୍ଶନ କିମ୍ବା ମେଡାଲକୁ ନେଇ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ । ସେ ସମଲିଙ୍ଗୀ ସଂପର୍କରେ ଅଛନ୍ତି ।ଘର ପାଖ ଜଣେ ଝିଅଙ୍କ ସହ ତାଙ୍କର ରହିଛି ସମଲିଙ୍ଗୀ ସମ୍ପର୍କ । ଜାତୀୟ ଗଣମାଧ୍ୟମକୁ ସେ ଏକ ସାକ୍ଷାତକାରରେ ଏହି ଘଟଣାର ଖୁଲାସା କରିଛନ୍ତି ।
ଘଟଣା ସାମ୍ନାକୁ ଆସିବା ପରେ ‘ଇଟିଭି ଭାରତ’କୁ ପ୍ରତିକ୍ରିୟା ଦେଇ ଦୂତି କହିଛନ୍ତି, "ମୁଁ ମୋ ଜୀବନସାଥୀ ପାଇସାରିଛି । ଆମ ସହରର ଜଣେ ଝିଅଙ୍କ ସହ ମୋର ଦୀର୍ଘ 4ବର୍ଷ ହେବ ସମ୍ପର୍କ ଅଛି । ଏହା ସମଲିଙ୍ଗୀ ସମ୍ପର୍କ ହୋଇଥିବାରୁ ମୋତେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେବାକୁ ପଡିବ କିନ୍ତୁ ମାତ୍ର ମୋର ବିଶ୍ବାସ ରହିଛି ମୋ ସମ୍ପର୍କକୁ ମୋର ଘର ଲୋକେ ସମର୍ଥନ କରିବେ ।"
ତେବେ ନିଜ ଜୀବନସାଥୀଙ୍କ ପରିଚୟ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, " ମୁଁ ତାଙ୍କ ନାମକୁ ଏବେ ଖୁଲାସା କରିବାକୁ ଚାହୁଁ ନାହିଁ, କାରଣ ମୁଁ ଯଦି ଏମିତି କରୁଛି, ସେ ମିଡିଆରେ ଆକର୍ଷଣ କେନ୍ଦ୍ର ପାଲଟି ଯିବେ । ଫଳରେ ତାଙ୍କୁ ଅଯଥା ଅସୁବିଧାର ସମ୍ମୁଖୀନ ହେବେ । ମାତ୍ର ଉଚିତ୍ ସମୟରେ ମୁଁ ଆମ ସମ୍ପର୍କ ବିଷୟରେ ସମ୍ପୂର୍ଣ୍ଣ ରୂପେ ଖୁଲାସା କରିବି ।"
ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଦୂତିଙ୍କ ମା ଓ ବଡଭଉଣୀ ଏହିକୁ ବିରୋଧ କରିଛନ୍ତି ଓ ଏହାକୁ ଦୂତିଙ୍କ ବିରୋଧରେ ଷଡଯନ୍ତ୍ର ବୋଲି କହିଛନ୍ତି । ଦୂତିଙ୍କ କ୍ରୀଡା ଭବିଷ୍ୟତ ନଷ୍ଟ ହେବାର ଆଶଙ୍କା କରିବା ସହିତ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି କହିଛନ୍ତି ଦୂତିଙ୍କ ବଡଭଉଣୀ । ପ୍ରକାଶ ଯେ, ଦୂତିଙ୍କ ଯେଉଁ ଝିଅ ଜଣଙ୍କ ସହିତ ସମଲିଙ୍ଗୀ ସମ୍ପର୍କ ରହିଛି ସେ, ତାଙ୍କ ଝିଆରି ବୋଲି ଚର୍ଚ୍ଚା ଜୋର ଧରିଛି ।
ସୂଚନାଥାଉ କି, ଦୂତି ଜାକର୍ତ୍ତା ଏସିଆନ ଗେମ୍ସରେ ଭାରତ ପାଇଁ ଦୁଇଟି ରୌପ୍ୟ ପଦକ ଜିତି ସାରିଛନ୍ତି । ସେହିପରି ନିକଟରେ ଶେଷ ହୋଇଥିବା ଏସିଆନ ଆଥଲେଟିକ୍ ଚାମ୍ପିଅନସିପରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ/ ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ